ଫନିକୁ ପୁରିଲା ୧ମାସ ,କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚିନି ପ୍ରଶାସନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଫନି ବାତ୍ୟାକୁ ମାସେ ବିତି ଯାଇଛି । ବିଶେଷ କରି ଉପକୂଳବର୍ତୀ ଅଂଚଳରେ ଫନି ପ୍ରଭାବରେ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ସ୍ୱତନ୍ତ୍ର ରିଲିଫ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ନାଉଗାଁ ବ୍ଳକରେ ଉଦ୍ୟାନ ବିଭାଗ ପକ୍ଷରୁ କୌଣସି ଚାଷୀଙ୍କ ପାଖରେ ପହଂଚି ପାରି ନଥିବା ଅଭିଯୋଗ ହେଉଛି । ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ତହସିଲ କାର୍ଯ୍ୟାଳୟରେ ନିଜର କ୍ଷୟକ୍ଷତିର ଆବଶ୍ୟକ କାଗଜ ପତ୍ର ସମେତ ଫଟୋ ଦାଖଲ କରିଥିଲେ ମଧ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନଙ୍କ ଦେଖା ପଡୁନାହିଁ । ଚାଷୀମାନେ ଧାର କରଜ କରି ନିଜର ଚାଷ କାର୍ଯ୍ୟ ଅର୍ଥ ଖର୍ଚ୍ଚ କରିଥିଲେ । ସରକାରୀ ସହାୟତା ପାଇଥିଲେ ସେମାନେ ପୂର୍ଣ୍ଣବାର ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତେ । କିନ୍ତୁ ଉଦ୍ୟାନ ବିଭାଗ ପକ୍ଷରୁ ତଦନ୍ତ ହୋଇ ପାରୁ ନଥିବାରୁ ସେମାନେ ଏହି ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଅନ୍ୟପଟରେ ନାଉଗାଁ ବ୍ଳକରେ ଉଦ୍ୟାନ ବିଭାଗ ବୋଲି କିଛି ବିଭାଗ ରହିଛି ଆଜି ପର୍ଯ୍ୟନ୍ତ ଚାଷୀମାନେ ଜାଣି ପାରୁନାହାନ୍ତି । ଏହି ବିଭାଗର କାର୍ଯ୍ୟ କ’ଣ ଚାଷୀଙ୍କ ପାଇଁ ଆସୁଥିବା ସରକାରଙ୍କ ପ୍ରଦତ ସମସ୍ତ ସହାୟତାରୁ ବଂଚିତ ରହୁଛନ୍ତି ଏ ଅଂଚଳର ପନିପରିବା ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ଭିତିକ ଚାଷ କାର୍ଯ୍ୟ କରୁଥିବା ଚାଷୀକୁଳ । କି ମାତ୍ର ଜିଲ୍ଲା ଉଦ୍ୟାନ ବିଭାଗରେ ପଂଜିକୃତ ହୋଇଥିବା ହାତ ଗଣତି ଚାଷୀଙ୍କୁ ଛାଡି େଦେଳେ ଅନ୍ୟ କୌଣସି ଚାଷୀ ଜାଣି ନାହାନ୍ତି ଏ ବିଭାଗର କାର୍ଯ୍ୟ କ’ଣ । ମିଳିଥିବା ସୁଚନା ଅନୁଯାଇ ନାଉଗାଁ ବ୍ଳକରେ ଉଦ୍ୟାନ ବିଭାଗ ତରଫରୁ ଦୁଇ ଜଣ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି । କିନ୍ତୁ ଉକ୍ତ କର୍ମଚାରୀ ନାଉଗାଁକୁ କେବେ ଆସୁଛନ୍ତି ଚାଷୀଙ୍କୁ ଜଣା ନଥିବା ଅଭିଯୋଗ ହେଉଛି । ଏଠାରେ ସୂଚନା ଥାଉକି ଏହି ବ୍ଲକର ଡାବର ପଂଚାୟତର ଅଳକା ନଦୀ ପଠା ସହିତ ରୋହିଆ ପଂଚାୟତର ଅରଖକୁଦ ଦେବୀନଦୀ ପଠା, ଶିଖର ପଂଚାୟତର ଅଙ୍ଗେଶ୍ୱରପଡା ଦେବୀ ନଦୀ ପଠାରେ ଏକର ଏକର ପନିପରିବା ଚାଷ ହୋଇଥିଲା । ଏହି ପରିବା ଚାଷୀଙ୍କ ଅଭିଯୋଗ ଅନୁଯାଇ ବାତ୍ୟା ଫନି ସେମାନଙ୍କର ରୋଜଗାର ଛଡାଇ ନେଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍ୟାନ ବିଭାଗ ଠାରୁ ରାଜସ୍ୱ ବିଭାଗ ପର୍ଯ୍ୟନ୍ତ କାହାର ପାଦ ପଡି ନାହିଁ । ଏହି ବିଷୟକୁ ନେଇ ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀଙ୍କୁ ପଚାରିବାରୁ ଚାଷୀଙ୍କ ଅଭିଯୋଗକୁ ଭିତି କରି ଯୁଗ୍ମ ତଦନ୍ତ କରାଯାଉଛି । ବିଭାଗରେ କମ କର୍ମଚାରୀ ଥିବାରୁ ତଦନ୍ତ ଅଧିକ ସମୟ ଲାଗିବ ବୋଲି କହିଥିଲେ ।