ଫି ଛାଡ଼ ମାମଲାରେ ସରକାରଙ୍କର ଦୋମୁହାଁ ନୀତିକୁ ଅଭିଭାବକମାନଙ୍କର ବିରୋଧ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ବିଗତ ଶିକ୍ଷା ବର୍ଷରେ କରୋନା ପାଇଁ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଆର୍ଥିକ ସ୍ତରରେ ପ୍ରଭାବିତ । ତେଣୁ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ଯଥେଷ୍ଟ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସ୍କୁଲ୍ ଫି’ ବୃଦ୍ଧିରେ ପ୍ରତିବାଦ କରିଆସୁଥିବା ଅଭଭାବକ ସଂଘମାନେ କରୋନା ପରିସ୍ଥିତିରେ ସ୍କୁଲ୍ ଫି କମ୍ କରିବା ପାଇଁ ଦାବି କରି ଅସଫଳ ହେବାପରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ସଂଘ ଓ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷକ ସଂଘ, ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ପୌରହିତ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଦେୟ ଉପରେ ରିହାତି ଦିଆଯାଇଥିଲା । ଉଚ୍ଚ ନ୍ୟାୟାଳୟ ଏହି ଚୁକ୍ତି ଭିତିରେ ଚୂଡାନ୍ତ ରାୟ ପ୍ରଦାନ କରିଥିଲେ । କିନ୍ତୁ ଉଦ୍‌ବେଗର ବିଷୟ, ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚଂଚକତା ପୂର୍ବକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାଁନ୍ତି । ବର୍ଷସାରା ସେବା ଗ୍ରହଣ କରିନଥିଲେ ମଧ୍ୟ ବସ୍ ଦେୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ଦେୟ ବର୍ଦ୍ଧିତ ସ୍କୁଲ୍ ଫି ପୈଠ ପାଇଁ ଅଭିଭାବକମାନଙ୍କୁ ବାଧ୍ୟ କରୁଛନ୍ତି । ସରକାର ନିରବଦ୍ରଷ୍ଟା ସାଜି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ମନମୁଖି କାର୍ଯ୍ୟକଳାପକୁ ପ୍ରକାରନ୍ତରେ ପ୍ରୋତ୍ସାହିତ କରୁଛନ୍ତି । ଗୋଟେପଟେ ଅଭିଭାବକମାନଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଓ ଅନ୍ୟପଟେ ବେସରକାରୀ ବିଦ୍ୟାଳୟଗୁଡ଼ିକ ଫି’ ବୃଦ୍ଧି ଆଦାୟକୁ ବିରୋଧ ନକରିବା ସାଧାରଣରେ ପ୍ରଶ୍ନ ଉଠୁଛି – ଏ ସରକାର କାହା ସ୍ୱାର୍ଥରେ, ଅଭିଭାବକଙ୍କର ନା ଶିକ୍ଷା ମାଫିଆଙ୍କର? ସରକାରଙ୍କ ଏଭଳି ଦୋମୁହାଁ ନୀତି ଅଭିଭାବକଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିବା ସହ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି । ଏହି ପରିପ୍ରେକ୍ଷୀରେ ୟୁନାଇଟେଡ୍ ପ୍ୟାରେଂଟସ୍ ଆସୋସିଏସନ୍ ଫୋରମ୍ ଶିକ୍ଷା ନିର୍ଦ୍ଦେଶକଙ୍କ ଜରିଆରେ ବେସରକାରୀ ବିଦ୍ୟାଳୟମାନଙ୍କର ମନୋମୁଖି କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଦାବିପତ୍ର ପ୍ରଦାନ କରିବା ସହ ସଂଘର ସଭାପତି ସଂଯୁକ୍ତ ପାଣିଗ୍ରାହୀ, ସମ୍ପାଦକ ମଧୁସୂଦନ ବିଶ୍ୱାଳ, ସତିଶ୍ ମିଶ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶ୍ରୀ ଦାସ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶିକ୍ଷା ସଚିବଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜିର ଏହି ବିକ୍ଷୋଭରେ ସଂଘ ପକ୍ଷରୁ ପ୍ରଦୀପ ପ୍ରଧାନ, ରାମଚନ୍ଦ୍ର ପୁଷ୍ପାଳକ, ସୁଶାନ୍ତ ମହାପାତ୍ର, ଆଶୁତୋଷ ଦାସ, ରଞ୍ଜୁଲତା ମହାପାତ୍ର ପ୍ରମୁଖ ବିଭିନ୍ନ ସ୍କୁଲ୍‌ର ଅଭିଭାବକମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ