ଫୁଲବାଣୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଆଜି ଫୁଲବାଣୀ ଠାରେ ପାଳିତ ହୋଇଯାଇଛି। ଏ ଅବସରରେ ଦଳର କର୍ମୀ ଓ ନେତା ମାନେ ସକାଳେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ କଲ୍ୟାଣ ମଣ୍ଡପଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଫୁଲବାଣୀ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳ ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଏହି ବୈଠକରେ ଯୋଗ ଦେଇ ଦଳକୁ ସୁଦୃଢ କରିବା ଓ ଦଳ ନେତା ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପ କରିଥିଲେ। ଜିଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର ଛାମୁଆଁ ସଂଗଠନର ନେତା ଓ କର୍ମୀ ମାନଙ୍କୁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କାରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲା ସଭାପତି ବିଜେଡି ଗଠନର ପୃଷ୍ଠଭୂମି ବିଷୟରେ ବର୍ଣ୍ଣନା କରିବା ସହ ଏହାର ଉଦ୍ଦେଶ୍ୟ ବିଷୟରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲଯାଇ ଦଳ ପାଇଁ କାମ କଲେ ମନକୁ ମନ ସଫଳତା ମିଳିବ ବୋଲି ସେ ମତ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଯୋଗ ଦେଇ ଯୁବ ଗୋଷ୍ଠୀ ହିଁ ରାଜ୍ୟ ଓ ଦଳର ଭବିଷ୍ୟତ ବୋଲି କହିଥିଲେ। ନବୀନ ବାବୁ ନେତାଙ୍କୁ ନୁହେଁ କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ପ୍ରକାଶ କରି ଦଳ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ମହିଲା ବିଜେପି ସଭାପତି ଅନିମା କହଁର,ଛାତ୍ର ବିଜେଡି ଜିଲା ସଭାପତି ସୁନୀଲ ସେଠୀ, ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଲିକ,ରାଜ୍ୟ ସଂପାଦକ ଶତ୍ରୁଘ୍ନ ମହାନନ୍ଦିଆ, ବରିଷ୍ଠ ନେତା କମଳ ବେହେରା ପ୍ରମୂଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଫୁଲବାଣି ବିଧାନସଭା କ୍ଷେତ୍ର ଅଂଚଳର ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଛାମୁଆଁ ସଂଗଠନର କର୍ମକର୍ତ୍ତା ,ସରପଂଚ, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।