ଫେବ୍ରୁଆରୀରେ ସେବା ରପ୍ତାନୀ ୫.୫% ବଢ଼ିଲା
ମୁମ୍ବାଇ, (ଏଜେନ୍ସି): ଦେଶର ସେବା ରପ୍ତାନୀ ୨୦୧୮-୧୯ର ଫେବ୍ରୁଆରୀ ମାସରେ ୫.୫% ବୃଦ୍ଧି ପାଇ ୧୬.୫୮ ଅରବ ଡଲାରରେ ପହଞ୍ଚିଛି । ବର୍ଷେ ପୂର୍ବରୁ ଚଳିତ ମାସରେ ଏହା ୧୫.୭୧ଅରବ ଡଲାର ରହିଥିଲା । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଜାରି କରାଯାଇଥିବା ଆକଳନ ଅନୁସାରେ ଫେବ୍ରୁଆରୀ ୨୦୧୯ର ରପ୍ତାନୀ ଜାନୁଆରୀରେ ୧୭.୭୫ ଅରବ ଡଲାରରୁ କମ୍ ରହିଛି । ଆର୍ବିଆଇର ଆକଳନ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରୀରେ ସେବା ଆମଦାନୀ ୩.୩% ହ୍ରାସ୍ ପାଇ ୯.୮୧ଅରବ ଡଲାର ରହିଥିଲା । ବର୍ଷେ ପୂର୍ବରୁ ଏହି ମାସରେ ଏହା ୧୦.୧୪ଅରବ ଡଲାର ରହିଥିଲା । ଚଳିତ ଆର୍ଥିକ ବର୍ଷ ଜାନୁଆରୀରେ ଆମଦାନୀ ୧୧.୩ ଅରବ ଡଲାର ଥିଲା । କେନ୍ଦ୍ରୀୟ ବ୍ୟାଙ୍କ୍ ପାଖାପାଖି ୪୫ଦିନର ଅନ୍ତରାଳରେ ଦେଶର ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ମାସିକ ଆକଳନ ଜାରି କରିଥାଏ । ସେବାଗୁଡ଼ିକର ମାସିକ ଆକଳନ ଅସ୍ଥାୟୀ ହୋଇଥାଏ, ଓ ତ୍ରୈମାସିକ ଆଧାରରେ ପେମେଣ୍ଟ ସନ୍ତୁଳନର ଆକଳନ ଜାରି ହେବା ପରେ ଏଥିରେ ସଂଶୋଧନ ହୋଇଥାଏ ।


