ଫୋର୍ବସ ତାଲିକାରେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ- ଫୋର୍ବସ ଦ୍ବାରା ପ୍ରକାଶିତ ୨୦୧୯ରେ କ୍ଷମତାଶାଳୀ ମହିଳାଙ୍କ ମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ତାଲିକାରେ ତାଙ୍କ ସହ ଏଚସିଏଲର ସିଇଓ ତଥା ନିର୍ବାହୀ ନିର୍ଦେଶକ ରୋଶନୀ ନାଦାର ମାଲହୋତ୍ରା ଏବଂ ବାୟୋକନ୍ ର ପ୍ରତିଷ୍ଠାତା କିରଣ ମଜୁମଦାର ଅଛନ୍ତି । ତାଲିକାର ଶୀର୍ଷରେ ରହିଛନ୍ତି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ। ତାଙ୍କ ପଛକୁ ୨ୟ ସ୍ଥାନରେ ଅଛନ୍ତି ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ନାନ୍ସୀ ପେଲୋସୀ ରହିଛନ୍ତି । ଏହା ସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୨୯ତମ ସ୍ଥାନରେ ରହିଥିବା ଜଣାପଡିଛି । ମହିଳାମାନେ ନିଜ କାର୍ଯ୍ୟଦକ୍ଷତା ଅନେକ କ୍ଷେତ୍ରରେ ପ୍ରତିପାଦନ କରିସାରିଲେଣି ସେ ରାଜନୀତି କ୍ଷେତ୍ରହେଉ ଅବା ବ୍ୟବସାୟ । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମ ଥର ପାଇଁ ଫୋର୍ବସ ତାଲିକାରେ ସ୍ଥାନ ପାଇଛନ୍ତି। ସେ ତାଲିକାର ୩୪ ତମ ସ୍ଥାନରେ ରହିଛନ୍ତି। ସୀତାରମଣ ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଇ ସାରିଛନ୍ତି। ସେହିପରି ନାଦାର ମାଲହୋତ୍ରା ୫୪ତମ ସ୍ଥାନରେ ରହିଛନ୍ତି। ସେ ଏଚସିଏଲର ସିଇଓ ଭାବେ କମ୍ପାନୀର ସମସ୍ତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି । କିରଣ ମଜୁମଦାର ତାଲିକାର ୬୫ତମ ସ୍ଥାନରେ ଅଛନ୍ତି। ସେ ହେଉଛନ୍ତି ଭାରତର ସବୁଠାରୁ ବଡ଼ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋକନ୍ ର ପ୍ରତିଷ୍ଠାତା । ତାଲିକାରେ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନର ସହ-ଅଧ୍ୟକ୍ଷ ମେଲିଣ୍ଡା ଗେଟ୍ସ(୬ଷ୍ଠ), ଆଇବିଏମର ସିଇଓ ଗିନି ରୋମେଟ୍ଟି(୯ମ), ଫେସବୁକ୍ ସିଓଓ ଶେରିଲ ସ୍ୟାଣ୍ଡବର୍ଗ(୧୮ଶ), ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ(୩୮ତମ), ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ(୪୨ତମ), ଗାୟିକା ରିହାନା(୬୧ତମ), ବିୟୋନ୍ସ(୬୬ତମ), ଟେଲର ସ୍ବିଫ୍ଟ(୭୧), ଟେନିସ ତାରକା ସେରେନା ୱିଲିୟମ୍ସ(୮୧) ଏବଂ କିଶୋରୀ ପରିବେଶବିତ୍ ଗ୍ରେଟା ଥନବର୍ଗ(୧୦୦ତମ) ଅଛନ୍ତି ।