ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦିଅନ୍ତୁ ନାହିଁ

(ଯୁଗାବ୍ଦ ନ୍ୟୁଜ) : ଏ ଶତାଦ୍ଦୀର ସର୍ବାଧିକ ବିଭୀଷିକାମୟ ‘ଫଣୀ’ର ଫୁତ୍କାରରେ ନିସ୍ତଦ୍ଦ ଶ୍ମଶାନରେ ପରିଣତ କରିଦେଇଛି ତମାମ୍ ଓଡିଶାର ଉପକୂଳବର୍ତୀ ଭୂଖଣ୍ଡକୁ । ମାତ୍ର କେତୋଟି ଘଂଟାର ନିସ୍ତୁର ସାମୁଦ୍ରିକ ତୋଫାନର ଅଦ୍ଭୁତପୂର୍ବ ପ୍ରଳୟ ପ୍ରବାହରେ ନିଶ୍ଚିହ୍ନ ହୋଇଯାଇଛି ବର୍ଷବର୍ଷର ସଂଚିତ ସମ୍ବଳ-ବିଶାଳବୃକ୍ଷ ସମ୍ପଦ-ସବୁଜ ଶସ୍ୟଶ୍ୟାମଳ ପଲ୍ଲିଜୀବନ-ଗୃହପାଳିତ ପଶୁ-ପକ୍ଷୀ ଏବଂ ସମୃଦ୍ଧ ଶିଳ୍ପାଂଚଳ । ଗ୍ରାମ ଓ ସହର – ସବୁ ଧ୍ୱସ୍ତ – ସବୁ ବିଧ୍ୱସ୍ତ – ଯାହା ଗଢିଉଠିବା ପାଇଁ ଲାଗିଥିଲା ବର୍ଷବର୍ଷ – ଦଶକଦଶକ – ମାତ୍ର କେତୋଟି ମୁହୂର୍ତ ମଧ୍ୟରେ ସେସବୁ ଆଜି ବିକଳ ଭଗ୍ନସ୍ତୁପ । ଭୌଗୋଳିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜନୀତିର ରଥଚକ୍ର ତଳେ ଭୋକରଭୂଗୋଳ ଦୁଃଖିନୀ ଓଡିଶା ପେଶି ହୋଇନଯାଉ ବୋଲି ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ମେଜର ଜେନେରାଲ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଶ୍ରୀ ନାୟକ ଲେଖିଛନ୍ତି – ବର୍ତମାନ ଏ ମହାବିପଦବେଳେ କେନ୍ଦ୍ରରୁ ୧୩୫୪ କୋଟିଟଙ୍କା ଆସିଲାଣି । ବିଭିନ୍ନ ରାଜ୍ୟରୁ କିଏ ୫କୋଟି ୧୦କୋଟି ଟଙ୍କା ମଧ୍ୟ ପଠେଇଲେଣି । କିଛିକିଛି ବ୍ୟବସାୟୀ ଅନୁଷ୍ଠାନ ଲକ୍ଷରୁ କୋଟିଏ ଟଙ୍କା ଦେଇ ଟିଭି, ଖବରକାଜରେ ଘନଘନ ମୁହଁ ଦେଖେଇଲେଣି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମୁକ୍ତହସ୍ତରେ ଦାନକରିବା ପାଇଁ ଟିଭି, ରେଡିଓରେ ବ୍ୟାଙ୍କ ଆକାଉଂଟକୁ ଦେଖାଗଲାଣି । ରାଜକୋଷ ଲୁଟେରାମାନେ ଲୁଟ୍ କରିଥିବା ହଜାରହଜାର କୋଟିରୁ ୧୦/୨୦ ଲକ୍ଷ କି କୋଟିଏ ଦି’କୋଟି ଦେଇ ଦାନୀକର୍ଣ୍ଣ ବୋଲାଇବାର ପ୍ରୟାସ ଜାରିକଲେଣି । କିଏକିଏ ମାସେ, ଦି’ମାସ, ବର୍ଷକର ଦରମା ଦାନକଲେଣି । ଏସବୁ ଅନୁଦାନ, ସାହାଯ୍ୟ ପାଖାପାଖି ଦୁଇହଜାର କୋଟିକୁ ଛୁଇଁବ । କ୍ଷୟକ୍ଷତି ଯାହା ହୋଇଛି – ତାହା କେବଳ ଧନସମ୍ପତିକୁ ବୁଝାଏନା । ପୁରୀ, ଭୁବନେଶ୍ୱର, କଟକ ବର୍ଷବର୍ଷ ତଳକୁ ଫେରିଗଲା । ଏବେ ଘରେ ବ୍ୟାଗରେ ଭର୍ତି ସୁନା ଥିଲେବି ପାଣି ଟୋପେ ନମିଳିଲେ ମରିବା ସାର । ଆମେ ଓଡିଆଏ ସବୁବେଳେ ସରକାରଙ୍କ ମାହାଳିଆ ଦାନକୁ ଆଁ କରି ଅନେଇଛେ । ସତରେ କ’ଣ ସିଏ ଆମକୁ ସହାୟତା ମିଳୁଥିବା ରାଜକୋଷରେ ଥିବା ଟଙ୍କାକୁ ଦେବେ? ନା ସେଥିରୁ ବାରଣା ଚଳୁକରି ଚାରଣା ଫିଙ୍ଗିବେ । ଏଇଯେମିତି ବନ୍ୟା, ବାତ୍ୟା, ମରୁଡି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ସରକାରଙ୍କ ପାଖରେ ଜରୁରିକାଳୀନ ପାଣ୍ଠି ଥିଲା, ସେ ପାଣ୍ଠିକୁ ସରକାର କାଳିଆ ଯୋଜନାରେ ଖର୍ଚ୍ଚକରି ଭୋଟ୍ ହାତେଇବାପାଇଁ ଅପଚେଷ୍ଟା କରିଥିଲେ ।ଶ୍ରୀ ନାୟକ ବିପନ୍ନ ଓ ଓଡିଶାବାସୀଙ୍କୁ ଆହ୍ୱାନଦେଇ କହିଛନ୍ତି – ‘ଫଣୀ’ ସହାୟତା ଟଙ୍କାରୁ ଯେଭଳି ଗୋଟିଏ ଟଙ୍କା ବାଟମାରଣା ନହୁଏ ସେଥିପ୍ରତି ଧ୍ୟାନଦେବେ ଏବଂ ବିଶେଷକରି ଓଡିଶା ସରକାରଙ୍କ ପାଖରେ ବିପଦ ମୁକାବିଲା କରିବାପାଇଁ ଦକ୍ଷ ମାନବଶକ୍ତି, ଯନ୍ତ୍ରପାତି ନାହିଁବୋଲି ଆନ୍ଧ୍ର, କେରଳ, ପଶ୍ଚିମବଙ୍ଗ ପ୍ରମୂଖ ପ୍ରଦେଶରୁ କୁଶଳୀ ଶ୍ରମିକ, ଟ୍ୟାଙ୍କର, ବିଦ୍ୟୁତ୍ ଉପକରଣ, ଖାଦ୍ୟ ଓ ଔଷଧପତ୍ର ଧରି ପହଂଚିଗଲେଣି । ପୁରୀ, ଭୁବନେଶ୍ୱର, କଟକରେ ରାସ୍ତା ସଫେଇ, ଗଛକଟା ଠାରୁ ଆରମ୍ଭକରି ବିଜୁଳି ସଜଡା ପର୍ଯ୍ୟନ୍ତ ଯେଉଁଠି ଦେଖିବ ଆନ୍ଧ୍ରା, କେରଳ, ବଙ୍ଗଳା ଶ୍ରମିକ । ଓଡିଶାର ଶ୍ରମିକ କର୍ମଚାରୀ କାଁଭାଁ ବୁଲୁଛନ୍ତି । ଶେଷରେ ଶ୍ରୀ ନାୟକ ନିବେଦନକରି କହିଛନ୍ତି – ବିପନ୍ନକୁ ସହାୟତା ଦେବାପାଇଁ ଆଉ ସରକାରଙ୍କୁ ଟଙ୍କାର ଚେକ୍ ବଢେଇବା ଅପେକ୍ଷା କର୍ପୋରେଟ୍ ହାଉସ୍, ବ୍ୟବସାୟୀ, ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା, ବିଭିନ୍ନ ଦଳ, ଏନ୍.ଜି.ଓ. ମାନେ ନିଜନିଜ ଉଦ୍ୟମରେ ପ୍ର୍ରୟୋଜନ ସାମଗ୍ରୀ ସଂଗ୍ରହକରି ତୁରନ୍ତ ବିପନ୍ନ ଅଂଚଳକୁ ଯାଇ ଉତ୍ସର୍ଗୀକୃତ ସଂକଳ୍ପବଦ୍ଧ ଭୂମିକାରେ ଅବତୀର୍ଣ୍ଣ ହୋଇ ଧ୍ୱଂସ ଓ ବିପର୍ଯ୍ୟୟ ବିରୁଦ୍ଧରେ, ଦୁଃଖକଷ୍ଟ, ରୋଗ, ଅନାହାର ଦାରିଦ୍ର‌୍ୟର ଦୁର୍ଗତୀ ବିରୁଦ୍ଧରେ…. ଭୟ ଓ ମୃତ୍ୟୁ ବିରୁଦ୍ଧରେ ସଂଗ୍ରାମ ଚଳେଇଯାଆନ୍ତୁ ।

ମାୟାଧର ନାୟକ
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ