ଫୋନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ପ୍ରମୁଖ ଭୂମିକା ରହିବ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ଫୋନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ କ୍ୟାବିନେଟ ସଚିବ, ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ, ଗୃହ ସଚିବ, ଶକ୍ତି ସଚିବ, ଟେଲିକମ୍ ସଚିବ ପରି ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶା ଆସି ରାଜ୍ୟ ପାଇଁ ମ୍ୟାନ୍ , ମନି, ମେସିନର ଅଭାବ ରହିବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଥିଲେ । ସେ ସମ୍ପର୍କରେ ଅଗ୍ରଗତି ନେଇ ହୋଇଥିବା ଯୋଜନା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ନିଜର ପୂର୍ଣାଙ୍ଗ ଦାବିପତ୍ର ପଠାଇବା ପୂର୍ବରୁ ପରମ୍ପରାକୁ ଭାଙ୍ଗି ଭାରତ ସରକାରଙ୍କର ସମୀକ୍ଷା ପ୍ରତିନିଧି ଦଳ ଓଡିଶାରେ ପହଁଚିବେ । ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ୧୩ ରୁ ୧୫ ତାରିଖ ମଧ୍ୟରେ ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କ ଅପେକ୍ଷା ଅନୁସାରେ ଭାରତ ସରକାର ଦାୟିତ୍ୱ ନେବେ । ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି । ଶକ୍ତି ସଚିବଙ୍କ ନେତୃତ୍ୱରେ ଟେଲିକମ୍ ସଚିବ, ବ୍ୟାଙ୍କ ସଚିବ ଓଡିଶା ଆସିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପୁରୀ, ଖୋର୍ଧା, କଟକ ଜିଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଓ ସହର ତଥା ଗ୍ରାମାଚଂଳରେ ବିଜୁଳି କାମରେ ଏନଟିପିସି ଓ ପିଜିସିଏଲ ପରି କମ୍ପାନୀକୁ ପନଃରୁଦ୍ଧାର କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଛି । ବାତ୍ୟା ଫୋନି ପ୍ରଭାବିତ ଅଂଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ଟେଲିଫୋନ ଟାଓାର (କାଓ), ମୋବାଇଲ ଏଟିଏମ୍ ଲଗାଯିବା ଉପରେ ନିଷ୍ପତି ନିଆଗଲା । ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମିଶି କାମର କ୍ରିୟାନ୍ୱୟନ କରିବେ । ବୀମା କମ୍ପାନୀ ମାନେ ମନଟରିଂ କରି କ୍ଲେମ ସେଟେଲମେଂଟ କିପରି ଶୀଘ୍ରରୁ ଶୀଘ୍ର ହେବ ତା ଉପରେ ଆଲୋଚନା କରାଯାଇଛି । ନଡିଆ, ଗୁଆ, କାଜୁ, ଉଦ୍ୟାନକୃଷି, ପଶୁସମ୍ପଦ, ଧାନ ଚାଷୀ, ଖୁଚୁରା ଦୋକାନୀ ଯେଉଁମାନେ ଋଣ ନେଇଛନ୍ତି ତା କିପରି ସରଳୀକରଣ ହେବ ଏବଂ ଯେଉଁମାନେ ଋଣ ନେବେ ତାଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ ଏହା ଉପରେ ଜୋର ଦିଆଯାଇଛି । ଏନେଇ ଗାଇଡଲାଇନ କରି କାମ କରିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କର ଗଭର୍ଣର ଶକ୍ତିକାନ୍ତ ଦାଶଙ୍କୁ ଅନୁରୋଧ କରିଛି । ବାତ୍ୟା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ପୁରୀ ସହର ହୋଟେଲ ଗୁଡିକ ବିଶେଷ କ୍ଷତି ହୋଇଛି । ଏହାର ଇନସ୍୍ୟୁରାନ୍ସ କ୍ଲେମ୍ ସହ ନୂଆ ଋଣ ପାଇଁ ନୂଆ ଆପ୍ରୋଚ ଉପରେ ଆଲୋଚନା ହୋଇଛି । ଏ ଗୁଡିକ ବାତ୍ୟା ପରର ଓଡିଶାର ଅର୍ଥନୀତି ପାଇଁ ପ୍ରମୁଖ ଭୂମିକା ନେବ । ଏଥିସହ ରାଜ୍ୟକୁ କିପରି ଅଧିକ ଘର, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ, ସଂସ୍କୁତି, ପର୍ଯ୍ୟଟନ, ଶିକ୍ଷା ବିଭାଗ ଅଧିକ ସମନ୍ୱୟ କରି ଓଡିଶାର ପୁନଃନିର୍ମାଣରେ ଭାରତ ସରକାରଙ୍କ ଏକ ପ୍ରଭାବୀ ଭୂମିକା ରହିବ ତାହା ଉପରେ ଆଲୋଚନା ହୋଇଥିବା କଥା ପ୍ରଧାନ କହିଛନ୍ତି ।