ଫୋନି ସମୟରେ ତାଲା ଝୁଲିଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
କୋଦଳା (ଗୁଲସନ୍ କୁମାର କର): ସାମୁଦ୍ରିକ ଝଡ ଫୋନି ପାଇଁ ସାରା ଓଡ଼ିଶା ଆତଙ୍କିତ ଓ ଭୟଭୀତ ଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ସଚେତନତା କରାଯିବା ସହ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ତେବେ ଶୁକ୍ରବାର ଫୋନି ତାଣ୍ଡବଲୀଳା ରଚୁଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲିବା ଦେଖିବାକୁ ମିଳିଥିଲା ।ସ୍ବାସ୍ଥ୍ୟ ସେବା ଭଳି ଏକ ପ୍ରାଥମିକ ସେବା କ୍ଷେତ୍ରରେ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଫୋନି ପାଇଁ ମୁକାବିଲା ଦାୟିତ୍ଵରେ ରହୁଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କିଭଳି ଭାବେ ବନ୍ଦ ରହିଲା ଏବଂ କାହା ନିର୍ଦ୍ଦେଶର ବନ୍ଦ ରହିଲା ବୋଲି ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ସମେତ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଦାୟିତ୍ବହୀନ କର୍ମଚାରୀଙ୍କ ବିରୁଦ୍ଧରେ କାହିଁକି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ବୋଲି ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କୁହାଯାଇଛି। ପ୍ରବଳ ବର୍ଷା ଓ ପବନ ହେଉଥିବା ବେଳେ କିଛି ଜରୁରୀକାଳୀନ ରୋଗୀ ମେଡିକାଲ୍ କୁ ଆସି ଫେରିଯିବା ମଧ୍ୟ ଦେଖିବାକୁ ମିଳିଥିଲା। ଓ ଆର୍ ଏସ୍, ଜରୁରୀକାଳୀନ ଔଷଧ ମିଳିପାରିବା ଏବଂ ଏହି ସମୟରେ ଔଷଧ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଥିବାରୁ ଲୋକେ ବହୁ ହନ୍ତସନ୍ତ ହୋଇଥିଲେ। ଏଭଳି ସମ୍ବେଦନଶୀଳ ଘଟଣାକୁ ଗଂଜାମ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।