ବକେୟା ଅର୍ଥ ପ୍ରଦାନ ନ କରି ପଳାଉଥିବାବେଳେ ଶ୍ରମିକ ଓ ଠିକାଦାର ଘେରିଲେ ଟିପିଏଲ କାର୍ଯ୍ୟାଳୟ
ଯୋଡ଼ା,(ସମୀର ଦାସ):କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳସ୍ଥିତ ଖଣ୍ଡବନ୍ଧ ଠାରେ ଥିବା ଟାଟା କଂପାନୀରେ କାର୍ଯ୍ୟ କରୁଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ଼(ଟିପିଏଲ) ଶ୍ରମିକ ଓ ବହୁ ଠିକାଦାରଙ୍କୁ ସେମାନଙ୍କର ପ୍ରାପ୍ୟ ଅର୍ଥରାଶି ପୈଠ ନକରି ପଳାଉଥିବା ଜାଣି ଠିକାଦାରମାନେ ମଙ୍ଗଳବାର ପୂବାହ୍ନରେ କାର୍ଯ୍ୟାଳୟ ଘେରିଥିଲେ ।ଖବର ନେବାରୁ ଜଣାପଡ଼ିଛି ଯେ, ଖଣ୍ଡବନ୍ଧ ଠାରେ ଟାଟା କଂପାନୀ ଏକ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଟିପିଏଲ ନାକମ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦେଇଥିଲା ।ଟିପିଏଲ ସଂସ୍ଥା ଅଧିନରେ ବହୁ ସବ୍କନ୍ଟ୍ରାକ୍ଟର ଏବଂ ତାଙ୍କ ଅଧିନରେ ବହୁ ଶ୍ରମିକ ନିଯୁକ୍ତି ପାଇଥିଲେ ।ଟିପିଏଲ ସଂସ୍ଥା ଉକ୍ତ ସବ୍କନ୍ଟ୍ରାକ୍ଟର ଓ ଶ୍ରମିକମାନଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରି ନଥିବା ଏବଂ ଆଜିକାଲି କହି ପ୍ରାୟ ୨ ବର୍ଷ ହେବ ସେମାନଙ୍କୁ ହଇରାଣ କରୁଥିବା ସବ୍କନ୍ଟ୍ରାକ୍ଟର ପୁନମ କନଷ୍ଟ୍ରକ୍ସନ ର ମଦନ କୁଶୁହା,ବିଜୟ ଇଂଜିନିୟରିଂ ର କର୍ମଚାରୀ ବିଜୟ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି ଯେ,ସେମାନଙ୍କର କୋଟି କୋଟି ଟଙ୍କାର ଜିଏସଟି ବିଲ ପ୍ରାୟ ୪/୫ ବର୍ଷ ହେଲା ମିଳି ନାହିଁ । ଟିପିଏଲ ସଂସ୍ଥାର ପ୍ରୋଜେକ୍ଟ କାର୍ଯ୍ୟ ଶେଷ ହେବା ପରେ ଚନ୍ଚକତା କରି କାର୍ଯ୍ୟାଳୟରୁ ସମସ୍ତ ଜିନିଷ ସ୍ଥାନାନ୍ତର କରୁଥିଲା ।ଏହି ଖବର ସେମାନେ ମଙ୍ଗଳବାର ସକାଳ ସମୟରେ ଜାଣିବା ପରେ କାଯ୍ୟାଳୟ ଘେରିଯାଇଥିଲେ ଏବଂ ଗାଡ଼ିରେ ସ୍ଥାନାନ୍ତର ହେବାକୁ ଥିବା ଜିନିଷପତ୍ରକୁ ଓହ୍ଲାଇଦେଇଥିଲେ ବୋଲି ପ୍ରକାଶ କରିବା ସହିତ ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଥିଲେ । ଏ ସଂପର୍କରେ ଟିିପିଏଲ ର ଅଧିକାରୀ ନବ୍ରେଶନ ମିଶ୍ରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ପ୍ରତିମାସ ସବ୍କନ୍ଟ୍ରାକ୍ଟରଙ୍କୁ ଶ୍ରମିକମାନଙ୍କର ମଜୁରୀ ପ୍ରଦାନ କରାଯାଇଛି ।କିଛିଦିନ ହେବ ଟିପିଏଲ ସଂସ୍ଥା କ୍ଷତିରେ ରହିଥିବାରୁ ଜିଏସଟି ପେମେନ୍ଟ ବକେୟା ରହିଛି, ଏ ବାବଦରେ ଆଲୋଚନା ଚାଲିଛି । ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ । ଏସଂପର୍କରେ ଟାଟାଷ୍ଟିଲ କଂପାନୀର କମ୍ୟୁନିକେଶନ ଅଧିକାରୀ ଆଶିଶ ଆଚାର୍ଯ୍ୟ କହିଛନ୍ତି ଯେ, ଏ ବିଷୟରେ ଇନକ୍ୱାରୀ ଚାଲିଛି,ଯଦି ଶ୍ରମିକଙ୍କୁ ସେମାନଙ୍କର ପ୍ରାପ୍ୟ ମିଳି ନାହିଁ,ତାହାହେଲେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ ।


