ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିସବସରେ ପାଇକ ରେଜିମେଣ୍ଟ ଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ଅଶ୍ୱାରୋହୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଂକଳ୍ପ ସମାବେଶ ଓ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶହ ଶହ ପାଇକ ବାହିନୀ ଆସି ସମର ପାଇକ ଆଖଡ଼ା, ସମର କଳା ପ୍ରଦର୍ଶନ କରି ରଣହୁଙ୍କାର ଦେଇ ବକ୍ସିଙ୍କ ପ୍ରତିମୂର୍ତ୍ତି ନିକଟରୁ ସହର ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନଙ୍କର ଦାବି ଥିଲା ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ତଥା ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ । ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ହୋଇପାରିଲେ ଓଡ଼ିଆ ଜାତିର ବୀରତ୍ୱପୂର୍ଣ୍ଣ ଅସ୍ମିତା ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟିକୁ ଆସିପାରିବ । ସେହିପରି ପଞ୍ଜାବ, ବିହାର, ଆସାମ, ଶିଖ୍ ରେଜିମେଣ୍ଟ ଆଦି ଥିବାବେଳେ କଳିଙ୍ଗ ଯୁଦ୍ଧ ଠାରୁ ପାଇକ ସଂଗ୍ରାମ ପର୍ଯ୍ୟନ୍ତ ଦେଶ ମାତୃକାର ସେବା ପାଇଁ ସଂଗ୍ରାମ କରିଥିବା ଓଡ଼ିଆ ବୀର ପାଇକମାନଙ୍କର ପାଇକ ରେଜିମେଣ୍ଟ ନାହିଁ । ତେଣୁ ଯଦି ଏକମାସ ମଧ୍ୟରେ ପାଇକ ରେଜିମେଣ୍ଟ ଗଠନ ଓ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର କରାନଯାଏ, ତେବେ ସମଗ୍ର ଓଡ଼ିଶାରୁ ହଜାର ହଜାର ପାଇକ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସେମାନଙ୍କର ବିପ୍ଲବ ପ୍ରଦର୍ଶନ କରିବା ସହିତ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ବିପ୍ଲବ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସମ୍ପାଦକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି ।ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ପାଇକ ଗୁରୁ ଗଣେଶ ସାମନ୍ତ ତଥା ପାଇକ ସଂଗଠକ ଶ୍ରୀ ଅଜୟ ଗୁମାନ ସିଂ ଓ ଟୁଲୁ ଭୁଜବଳ ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଏହି ଦୁଇଟି ଦାବି ପୂରଣ କରାନଗଲେ ସଂଗ୍ରାମ ହେବ ବୋଲି ଦୃଢ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ