ବଗଡା ପ୍ରାଥମିକ କୃଷି ସମବାୟ ସମିତିର ବେଆଇନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତିର ବେଆଇନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ସମିତିର ନିର୍ଦେଶକମାନେ ଜିଲ୍ଲାପାଳ ଓ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ସନିବନ୍ଧକଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ସେହି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ ନବନିର୍ବାଚିତ ପରିଚାଳନା ପରିଷଦର ପ୍ରଥମ ବୈଠକରେ ସହକାରୀ ନିବନ୍ଧକଙ୍କ ଉପସ୍ଥିତିରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସମିତିର ସମ୍ପାଦକ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଗତ ୧୯.୧୦.୨୦୨୨ରିଖରେ ଅନୁଷ୍ଠିତ ସମିତିର ଦ୍ୱିତୀୟ ବୈଠକରେ ସମ୍ପାଦକ ପୂର୍ବ ବୈଠକର ବିବରଣୀକୁ ପାଠ ନକରି ଏପରି କିଛି ବ୍ୟବସ୍ଥା ନଥିବା କହିଥିଲେ । ନିର୍ଦେଶକମାନେ ସହକାରୀ ନିବନ୍ଧକଙ୍କ ଠାରୁ ସ୍ପଟିକରଣ ଚାହିଁଛନ୍ତି ଯେ ସମିତି ପରିଚାଳନା ପରିଷଦର ବିନା ପରାମର୍ଶରେ ସମ୍ପାଦକ ସମିତି କାର୍ଯ୍ୟ ନିର୍ବାହ କରିପାରିବେ କି? କୈାଣସି ନିର୍ଦେଶକ ଚାହିଁଲେ ସଭା ବିବରଣୀର ନକଲ ପାଇପାରିବେ କି? ପରିଚାଳନା ପରିଷଦର ବିନା ସୁପାରିଶରେ ସମିତିର କୈାଣସି ସଭ୍ୟଙ୍କୁ ଋଣ ମଞ୍ଜୁର କରାଯାଇପାରିବ କି? ପରିଚାଳନା ପରିଷଦର ବିନା ପରାମର୍ଶରେ ସମ୍ପାଦକ କୈାଣସି ଆୟ-ବ୍ୟୟ କରିପାରିବେ କି? ସମିତିର ସାର, ବିହନ, କୀଟନାଶକ ପ୍ରଭୃତି ଦ୍ରବ୍ୟ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ବିକ୍ରୀ କରାଯାଇ ପାରିବ କି? ଏତଦ୍‌ବ୍ୟତିତ ସମ୍ପାଦକଙ୍କ ଦୀର୍ଘଦିନର ଅନୈତିକ ଆର୍ଥିକ କାରବାର ସମିତିକୁ ଘୋର ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସମିତି ପରିଚାଳନା ପରିଷଦର ନିର୍ବାଚିତ ନିର୍ଦେଶକ ଭାବରେ ସମିତିର ହାନୀ ଲାଭ ବିଷୟରେ ଚିନ୍ତା କରିବା ଓ ଏଥି ନିମନ୍ତେ ସମାଧାନର ବାଟ ବାହାର କରିବା ସେମାନଙ୍କ ନୈତିକ ଦାୟୀତ୍ୱ ରହିଛି । ସମବାୟ ସମିତିର ଧାରା ୬୫ ଅନୁଯାୟୀ ଗତ ୨୦୦୬ମସିହା ଠାରୁ ଏଯାବତ ବଗଡା ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ଆର୍ଥିକ କାରବାରର ଏକ ସ୍ୱତନ୍ତ୍ର ସମୀକ୍ଷା କରାଯିବା ସହ ସମିତିର କାର୍ଯ୍ୟଧାରା, ଋଣ ମଞ୍ଜୁରୀ, ଆୟ-ବ୍ୟୟ ଓ କର୍ମଚାରୀଙ୍କ ନିଯୁକ୍ତି ଓ ବେତନ ସମ୍ପର୍କରେ ସହକାରୀ ନିବନ୍ଧକଙ୍କ ଠାରୁ ନିର୍ଦେଶକମାନେ ସ୍ପଟିକରଣ ଚାହିଁଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ସମସ୍ୟା ଗୁଡିକର ସମାଧାନ ନହେଲେ ନିର୍ଦେଶକମାନେ ଆସନ୍ତା ୧୪ତାରିଖରେ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତିି । ସମିତିର ନିର୍ଦେଶକ ମାନସରଞ୍ଜନ ପ୍ରଧାନ, ପ୍ରତାପ କୁମାର ଜେନା, ଜୟନ୍ତ କୁମାର ପରିଡା, ସୁରେନ୍ଦ୍ର ମୋହନ ସ୍ୱାଇଁ, ଧରଣୀଧର ପାତ୍ର, ଜ୍ଞାନରଞ୍ଜନ ସାହୁ ଓ ପ୍ରମିଳା ସାହୁ ପ୍ରମୁଖ ଅଭିଯୋଗପତ୍ର ପ୍ରଦାନ କରି ତଦନ୍ତ ଦାବି କରିଛନ୍ତି । ଏହି ଅଭିଯୋଗର ନକଲ ଓଡିଶା ସମବାୟ ସମିତି ସମୁହର ନିବନ୍ଧକ, ୫-ଟି ସଚିବ, ସମବାୟ ମନ୍ତ୍ରୀ, ଆରକ୍ଷୀ ଅଧିକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସେମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ