ବଞ୍ଚୋର ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମରେ ଗତ କାଲି ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ତିନି ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ମହେନ୍ଦ୍ର ଦାସ, କପିଳ ଦାସ, ନନ୍ଦ ଦାସଙ୍କ ତିନି ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଥିଲା। କେବଳ ପିନ୍ଧିଥିବା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇ ପାରି ନଥିଲା। ଘରେ ଥିବା ଧାନ, ଚାଉଳ, ସୁନାରୁପା, ନଗଦ ଟଙ୍କା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ଭସ୍ମୀଭୂତ ହୋଇଥିଲା। ଆଜି ତହସିଲ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତି ଆକଳନ କରିବା ସହିତ ବିପନ୍ନ ମାନଙ୍କୁ ପାଲିଥିନି ଯୋଗାଇ ଦିଆଯାଇଛି। ଖବରପାଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ଅର୍ଥିକ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କୁ କିପରି ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ଘରେ ଥିବା ଚାଉଳ ସମ୍ପୁର୍ଣ୍ଣ ପୋଡିଯାଇଥିବାରୁ ଦୁଇ ବସ୍ତା ଚାଉଳ ମଧ୍ୟ ପ୍ରଦାନ କରିଛନ୍ତି। ସେହିପରି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ ମଧ୍ୟ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି।


