ବଡଭାଇର କାଠ ଫାଳିଆରେ ସାନଭାଇ ମୃତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା ):ସାନ ଭାଇକୁ ପିଟିପିଟି ହତ୍ୟା କରିଛି ବଡ ଭାଇ। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ।ମୃତକ ହେଲେ ସେହି ଗ୍ରାମର ବଳରାମ ଗଉଡ। ପୋଲିସ ମୃତଦେହ ଜବତ କରିବା ସହ ହତ୍ୟା ଅଭିଯୁକ୍ତ ବାପା, ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁସାରେ, ବଳରାମ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଗତ କିଛି ମାସ ହେବ ସେ ସ୍ତ୍ରୀ ଓ ପୁଅଙ୍କୁ ନେଇ ଭଞ୍ଜନଗରରେ ରହୁଥିଲେ। କୌଣସି କାମରେ ସେ ଶନିବାର ଦିନ ଗାଁ କୁ ଆସିଥିବା ବେଳେ ରାତିରେ ତାଙ୍କର ବଡଭାଇ ଓ ପୁତୁରା ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ବଳରାମଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇଛି। ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିଵା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।