ଭୟାବହ ଅଗ୍ନିକାଣ୍ଡରେ ୧୨ବଖରା ଚାଳ ଘର ସମେତ ୧୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ହାଟଡିହି(ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୨ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଦିନ ସାଢେ଼୩ଟା ବେଳେ ଅଗ୍ନିକାଣ୍ଡ ଘଟିଥିବା ବେଳେ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଗାଁ ଲୋକେ ନିଆଁ ପାଖକୁ ଯାଇ ପାରି ନଥିଲେ। ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘର ନିମିଷକ ମଧ୍ୟରେ ଜଳି ଛାରଖାର ହୋଇଯାଇଥିଲା। ପ୍ରତିମା ବରାଳ ନିଜ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ସୁନା ରୂପା ଅଳଂକାର ଓ ନଗଦ ୪ଲକ୍ଷ ଟଙ୍କା ପୋଡି ଯାଇଥିବା ବେଳେ ଧନଞ୍ଜୟ ବରାଳ, ସଞ୍ଜୟ ବରାଳ, ବିଜୟ ବରାଳ ପ୍ରମୁଖଙ୍କ ଲକ୍ଷ ଲକ୍ଷ ଟଙ୍କା ର ସମ୍ପତ୍ତି ପୋଡ଼ି ଧ୍ଵଂସ ପାଇଛି। ଘରେ ଥିବା ଧାନ, ଚାଉଳ, ସୁନା, ରୂପା ଓ ଲୁଗାପଟା ସମେତ ସମସ୍ତ ଗୃହ ଉପକରଣ ସାମଗ୍ରୀ ଭସ୍ମୀଭୁତ ହୋଇ ଯାଇଛି। ୫କିଲୋମିଟର ଦୂରରେ ହାଟଡିହି ଅଗ୍ନିଶମ ବାହିନୀ ଥିଲେବି  ମାତ୍ର ଗୋଟିଏ ଟାଙ୍କି ଗାଡ଼ି ବହୁ ବିଳମ୍ବରେ ପହଞ୍ଚିଥିବା ବେଳେ ୧୦ ମିନିଟ ମଧ୍ୟରେ ଟାଙ୍କି ଗାଡ଼ିରୁ ପାଣି ସରିଯିବା କାରଣରୁ ନିଆଁ ଲିଭାଇ ପାରି ନଥିଲା। ପରେ ଆନନ୍ଦପୁରରୁ ଆଉ ଏକ ପାଣିଟାଙ୍କି ଗାଡ଼ି ପହଞ୍ଚି ବା ବେଳକୁ ସବୁ ଭସ୍ମୀଭୂତ ହୋଇ ସାରିଥିଲା।  ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଅଗ୍ନିକାଣ୍ଡରେ ଧନଞ୍ଜୟ ବରାଳ, ପ୍ରତିମା ବରାଳ, ସଞ୍ଜୟ ବରାଳ, ବିଜୟ ବରାଳ, ନିରଞ୍ଜନ ସାହୁ, ସୁର ସାହୁ, ସୁଦର୍ଶନ ସାହୁ, ଭଞ୍ଜ ସାହୁଙ୍କୁ ୧୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କେବଳ ପିନ୍ଧିଥିବା ଲୁଗା ବ୍ୟତୀତ ଆଉ କିଛି ଉଦ୍ଧାର ହୋଇ ପାରିନି। ସରପଞ୍ଚ ଦିନେଶ ସେଠୀ ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କ ପାଖରେ ଠିଆ ହୋଇଛନ୍ତି। ସରକାର କ୍ଷତିଗ୍ରସ୍ତ ବିପନ୍ନ ପରିବାର ଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ