ବଢୁଛି ମାସ୍କର ଚାହିଦା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମଗ୍ର ବିଶ୍ୱବାସୀଙ୍କୁ ଏବେ କରୋନା ଚିନ୍ତା ଘାରିଛି । ଏଭଳି ସ୍ଥିତିରେ ରାଜ୍ୟର କେତେକ ଅଂଚଳରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗି ରହିଛି । ରାଜ୍ୟ ସରକାର ମଧ୍ୟ ମାରାତ୍ମକ କରୋନାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ସାଙ୍ଗକୁ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି । ହିଂଜିଳିକାଟୁୂ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ବ୍ୟକ୍ତି କରୋନା ଭୟରେ ଭୟଭୀତ ହୋଇ ପଡ଼ିଛନ୍ତି । ଏହି ଭୁତାଣୁ କବଳରୁ ସୁରକ୍ଷିତ ରହିବା ଲାଗି ମାସ୍କ ବ୍ୟବହାରୀକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶିକ୍ଷାର୍ଥୀ ମାନେ ମଧ୍ୟ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଜନସାଧାରଣ ନିଜକୁ ସୁରକ୍ଷିତ ରଖିବା ଓ ମାରାତ୍ମକ କରୋନାରୁ ମୁକ୍ତି ପାଇବା ପାଇଁ ମାସ୍କ ପିନ୍ଧୁଛନ୍ତି । ଏହାର ବିପୁଳ ଚାହିଦା ଯୋଗୁଁ କେତେକ ବ୍ୟବସାୟୀ ଚଢା ଦରରେ ମାସ୍କ ବିକ୍ରି କରୁଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ଅଂଚଳକୁ ଆବଶ୍ୟକ ପରିମାଣର ମାସ୍କ ଆସୁନଥିବା ଯୋଗୁଁ କେତେକ ବ୍ୟବସାୟୀ ଅତ୍ୟନ୍ତ ନିମ୍ନମାନର ମାସ୍କକୁ ଚଢା ଦରରେ ବିକ୍ରି କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ମାସ୍କର ଦର ୧୦ ଟଙ୍କା ରହିଥିବା ବେଳେ ସ୍ଥାନୀୟ ଅଂଚଳର କିଛି ଆସାଧୁ ବ୍ୟବସାୟୀ ମାସ୍କ ଗୋଟାକୁ ୫୦ରୁ ୬୦ ଟଙ୍କାରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିଥିବା ବେଳେ ସ୍ଥାନୀୟ ଅଂଚଳର ଜନସାଧାରଣ ଭୟଭୀତ ହୋଇ ପଡ଼ିଛନ୍ତି । ମାସ୍କ ବ୍ୟବହାର ପରିବର୍ତେ ସାବୁନରେ ବାରମ୍ବାର ହାତ ଧୋଇବା ଓ ବିଭିନ୍ନ ଉପାୟ ସକାଶେ ପ୍ରଶାସନ ପକ୍ଷରୁ ସଚେତନା କରାଯାଉଥିଲେ ମଧ୍ୟ ବହୁ ବ୍ୟକ୍ତି ମାସ୍କ ବ୍ୟବହାର କରିବା ସକାଶେ ଗୁରୁତ୍ୱ ଦେଉଥିବାର ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ