ବଣ୍ଡା ଘାଟିରେ ପୋଲିସ ଡ଼ିଜି ଅଭୟ
ମାଲକାନଗିରି, (ୱାଇଏନ୍ଏସ୍) ମାଓ ଦମନ ନେଇ ପୋଲିସର ଆଗାମୀ ରଣନୀତି ଓ ସ୍ଥିତିର ସମୀକ୍ଷା ପାଇଁ ବଣ୍ଡା ଘାଟି ମୁଦୁଲିପଡ଼ାରେ ଆଜି ପହଂଚି ଥିଲେ ପୋଲିସ ଡ଼ିଜି ଅଭୟ । ଡ଼ିଜିପିଙ୍କ ସହ ଏହି ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର ମଧ୍ୟ ସାମିଲ୍ ଥିଲେ । ଉଭୟେ ଆଜି ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ମୁଦୁଲିପଡା ଠାରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ତାଙ୍କୁ ପାରମ୍ପରିକ ବଣ୍ଡା ନୃତ୍ୟର ତାଳେ ତାଳେ ବିଏସଏଫ କ୍ୟାମ୍ପ ନିକଟକୁ ପାଛୋଟି ନେଇଥିଲେ ବଣ୍ଡା ରମଣୀ ମାନେ ।ଏହି ପରିପ୍ରେକ୍ଷୀରେ ବିଏସଏଫ ଯବାନ ଓ ଅଧିକାରୀଙ୍କ ସହିତ ବଣ୍ଡାଘାଟି ଅଂଚଳ ତଥା କୋରାପୁଟ ଜିଲ୍ଲା ସୀମାକୁ ରହିଥିବା ଅଂଚଳ ଗୁଡିକରେ ମାଓ ଦମନ ସହ ଲୋକଙ୍କୁ ସୁରକ୍ଷା କିପରି ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ । ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଡ଼ିଜିପି ଅଭୟ ଆଗାମୀ ଦିନରେ ମାଓ ଦମନ ନେଇ ପୋଲିସର ରଣନୀତି, ବର୍ତମାନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥି ସହିତ ସେ ମାଓବାଦୀଙ୍କୁ ଅସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବାକୁ ଆହ୍ୱାନ କରିଥିଲେ ।ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସ, ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ମାଓବାଦୀ ମାନଙ୍କୁ ଆହ୍ୱାନ କରି କହିଥିଲେ । ଆହୁରି ମଧ୍ୟ ୯୨ ମସିହା ପରେ ପୁନଶ୍ଚ ବଣ୍ଡାଘାଟି ଯାଇଥିବାରୁ ଖୁସି ଥିବା କହିଛନ୍ତି ଡ଼ିଜିପି । ୯୨ ମସିହାରେ ସେ ମାଲକାନଗିରି ଏସପି ଥିବା ସମୟରେ ବଣ୍ଡା ଘାଟି ଆସିଥିବା କହିଥିଲେ ।ଏହି ଅବସରରେ ପୋଲିସ ଡ଼ିଜି ଅଭୟ ଗରିବ ଓ ଅସହାୟ ମାନଙ୍କୁ କମ୍ବଳ ଓ ପିଲାଙ୍କୁ ଖେଳ ଉପକରଣ ବଂଟନ କରିଥିଲେ । ଅଂଚଳର ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ପୋଲିସ ଡ଼ିଜି ଅଭୟଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବଣ୍ଡା ଘାଟିରେ ପୋଲିସ ଛାଉଣି ଦେଖିବାକୁ ମିଳିଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ଋଷିକେଶ ଖିଲାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।


