ବନାଞ୍ଚଳରେ ଉନ୍ନତ ଚୁଲ୍ଲା ବଣ୍ଟନ ଅଭିଯାନ : ସବୁଜ ଗ୍ୟାସ୍ ନିର୍ଗମନ ପ୍ରଭାବକୁ ରୋକିବାକୁ ନେବ କ୍ଷୁଦ୍ର ଭୂମିକା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଶିଳ୍ପ ବଢୁଛି, ଜନସଂଖ୍ୟା ବୃଦ୍ଧି ଘଟୁଛି । ତାଳ ଦେଇ ବଢିବାରେ ଲାଗିଛି ଯାନବାହାନ । ଅତ୍ୟଧିକ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ଫଳରେ ଜୀବନ ଓ ଜୀବିକା ବିପନ୍ନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋର୍ କାର୍ବୋନକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ହାତକୁ ନିଆଯାଇଛି ବ୍ୟାପକ କାର୍ଯ୍ୟକ୍ରମ । ଏହାର ଅଂଶସ୍ୱରୂପ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟ ପରିସର ମଧ୍ୟରେ ଥିବା ପିଠାଖିଆ ଗାଁରେ ମେ ୨୭ ଗୁରୁବାର ପ୍ରଭାବୀ ଶକ୍ତି ସଂଚୟକାରୀ ଚୁଲ୍ଲା ବିତରଣ ଓ ଅଂଶୀଦାର ମାନଙ୍କ ବୈଠକ ଆୟୋଜନ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ବନବାସିନ୍ଦା ମାନଙ୍କୁ ଚୁଲ୍ଲା ବଣ୍ଟିବା ସହିତ ଜଙ୍ଗଲ ସୁରକ୍ଷା ଦିଗରେ ଏହାର ଅବଦାନକୁ ନେଇ ଆଲୋକପାତ କରିଥିଲେ । ପାରମ୍ପରିକ ଚୁଲ୍ଲା ତୁଳନାରେ ଏହା କମ୍ କାଠରେ କମ୍ ସମୟ ମଧ୍ୟରେ କମ୍ ଧୂଆଁ ରୋଷେଇ କରିବା ରେ ଫଳପ୍ରଦ ହୋଇ ଆସିଥିବା କୁହାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବନ ସଂରକ୍ଷକ ମନୋଜ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଚନ୍ଦକା ଡ଼ିଏଫ୍ଓ ମହମ୍ମଦ ଜାମିଲ ଏବଂ ଆୟୋଜକ କୋର କାର୍ବୋନକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ନିରୋଜ କୁମାର ମହାନ୍ତି ଜଙ୍ଗଲ ଓ ମୃତ୍ତିକା ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ମାତ୍ର ୧୦୦ ଟଙ୍କା ବିନିମୟରେ ବିତରିତ ଏହି ଉନ୍ନତ ଚୁଲ୍ଲାକୁ ୪ ବର୍ଷ ବ୍ୟବହାର କରିଥିବା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ନିରୋଜ ମହାନ୍ତି ସୂଚିତ କରାଇଥିଲେ । ଏଥିରେ ଗ୍ରାମବାସୀମାନଙ୍କ ସମେତ ସଂସ୍ଥାର ପ୍ରତିନିଧି ଓ ବନ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ସଂସ୍ଥା ମାତ୍ର ୧୦୦ଟଙ୍କା ବିନିମୟରେ ଏଭଳି ୧୦ଲକ୍ଷ ଚୁଲ୍ଲା ବାଣ୍ଟିବାର ଯୋଜନା ରଖିଛି ।