ବରଯାତ୍ରୀ ଯାଇ ଦୁର୍ଘଟଣାଗ୍ରସ୍ତ, ଞ୍ଚକ୍ଷତି ପୁରଣ ଦାବିରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ ଞ୍ଚପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ
ନାଉଗାଁ :ନାଉଗାଁ ଥାନା ଅନ୍ତର୍ଗତ କାନୁନଗୋସାହି ଗ୍ରାମର ରବିବାର ରାତିରେ ପଡୋଶୀଙ୍କ ପୁଅ ବିବାହ କାର୍ଯ୍ୟରେ ବରଯାତ୍ରୀ ଯାଇ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ପତ୍ନୀ ଗୀତା ଦାସ ଏ ସଂକ୍ରାନ୍ତରେ ନାଉଗାଁ ଥାନାରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଅରୁଣ କୁମାର ଦାସ(୫୬) ଡେରିକି ପଂଚାୟତର ଗଙ୍ଗଦା-ବନ୍ଧମୁଣ୍ଡା ଗ୍ରାମକୁ ବରଯାତ୍ରୀ ଭାବେ ଯାଇଥିଲେ । ସେ ତେଂଟୋଇ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଚାନ୍ଦପୁରା ଗ୍ରାମର ସତୀଶ ଶଙ୍କର ଦାସ ଏକ ହୁଣ୍ଡା ମଟର ସାଇକେଲ ଗାଡି ନଂ ଓଡି୦୨ଏୱାଇ୬୯୫୦ ଅରୁଣଙ୍କୁ ପଛରୁ ଧକ୍କା ଦେଇଥିଲା । ଅରୁଣ ପଡିଯିବା ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ଗିରଫ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୀତା ଅଭିଯୋଗରେ ଦର୍ଶାଇଛନ୍ତି । କିନ୍ତୁ ନାଉଗାଁ ପୋଲିସଏକ ୭୮/୧୯ରେ ମାମଲା ରୁଜୁ କରି ନିରବ ରହିଥିଲା । ଅନ୍ୟପକ୍ଷରେ ଅରୁଣଙ୍କ ମୃତ ଖବର ପଚାର ହେବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଅଭିଯୁକ୍ତ ନାମରେ ଥାନାରେ ଲିଖିତ ଭାବେ ପ୍ରଦାନ କରିବା ପରେ ମଧ୍ୟ ଅଭିଯୁକ୍ତ ନାଉଗାଁ ବଜାରରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ନଥିଲା । ଯାହାଫଳରେ ସ୍ଥାନୀୟ ଲୋକ ନାଉଗାଁ-ଶିଖର ମୁଖ୍ୟ ରାସ୍ତାର ନାଉଗାଁ ବଜାର ଠାରେ ଶବ ରଖି ରାସ୍ତା ଅବରୋଧ କରିବା ସହିତ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବି କରିଥିଲେ । ମୁଖ୍ୟରାସ୍ତା ଅବରୋଧ ହେବା ଦ୍ୱାରା ଯାନବାହାନ ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଖବର ପାଇ ରାସ୍ତାରୋକ ସ୍ଥଳକୁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପହଂଚି ୨୪ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ରାସ୍ତାରୋକ ପ୍ରତ୍ୟାହୃତ ହୋଇ ନଥିଲା । ଖବର ପାଇ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ ଘଟଣାସ୍ଥଳରେ ପହଂଚି ମୃତକଙ୍କ ସଂପର୍କୀୟ ଓ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାରଙ୍କୁ ଦୁର୍ଘଟଣା ଘଟାଇଥିବା ପରିବାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ସହିତ ଅଭିଯୁକ୍ତ ମେଡିକାଲରୁ ସୁସ୍ଥ ହେବା ପରେ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ପାଲ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ମୃତ ଅରୁଣ ଦିର୍ଘ ୨୯ ବର୍ଷ ଧରୀ ନିକଟସ୍ଥ ଶାଳିଜଙ୍ଗା ଶିଶୁ ମନ୍ଦିରରେ ଶିକ୍ଷାଦାନ କରି ଆସୁଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଂଚଳରେ ପରିଚିତ ଥିଲେ । ତାଙ୍କ ମୃତ ଖବର ପଚାର ହେବା ପରେ ନାଉଗାଁ ବଜାରରେ ଶହ ଶହ ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀମାନେ ଶେଷ ଦର୍ଶନ ପାଇଁ ଅପେକ୍ଷା କରିରହିଥିଲେ । ତାଙ୍କ ମର ଶରୀର ନାଉଗାଁରେ ପଂହଚିବା ପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଶାଳିଜଙ୍ଗାସ୍ଥିତ ଶିଶୁ ମନ୍ଦିରକୁ ନିଆଯାଇଥିଲା । ସେଠାରେ ଗୁରୁଜୀ ଗୁରୁମା , ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଶ୍ରଦ୍ଧାଞଳି ପ୍ରଦାନ କରିଥିଲେ ।