ବରିଷ୍ଠ ଗାନ୍ଧିବାଦୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବରିଷ୍ଠ ଗାନ୍ଧିବାଦୀ ଅବସରପ୍ରାପ୍ତ ଶିକ୍ଷକ ଦୋଳଗୋବିନ୍ଦ ପରିଡାଙ୍କ ନେମ୍ବରାସ୍ଥିତ ବାସଭବନରେ ଗତ ସୋମବାର ରାତି ୨ଟା ସମୟରେ ପରଲୋକ ହୋଇଯାଇଛି । ସ୍ୱାଧୀନତା ପୂର୍ବର ୧୯୩୦ମସିହା ସେପ୍ଟେମ୍ବର ୨୫ତାରିଖରେ ପିତା ଚଇଁ ପରିଡା ଓ ମାତା କୁନ୍ତଳା ପରିଡାଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ । ଦେଶ ସ୍ୱାଧୀନତାର ଜୁଆରରେ ବାଲ୍ୟରେ ଅନୁପ୍ରାଣିତ ହୋଇ ଆଦର୍ଶ ଶିକ୍ଷକ ଚିନ୍ତାମଣୀ ଗୁରୁଜୀଙ୍କ ଦ୍ୱାରା ମଧୁସାଗର ଠାରେ ଦେଶପ୍ରେମର ଜାଗ୍ରତ ପ୍ରହରୀ ହେବା ପାଇଁ ମଣିଷ ତିଆରି କାରଖାନା ସୂରୁପ ମୈାଳିକ ବିଦ୍ୟାଳୟ ୧୯୪୮ରେ ଆରମ୍ଭ କରି ସେଠାରେ ଛାତ୍ର ଭାବରେ ଦୋଳଗୋବିନ୍ଦ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରି ସପରିବାର ସେଠାରେ ରହି ସଂସାରକୁ ତୁଛକରି ଚିନ୍ତାମଣୀ ଗୁରୁଜୀଙ୍କ ପଟ୍ଟଶିଷ୍ୟ ଭାବେ ନିଜକୁ ବିନିଯୋଗ କଲେ । ଆଉ ସେ ସମୟରେ ନିଜକୁ ଖଦଡ ଚାଦର ପରିଧାନ ସହିତ ଚାଲି ଚାଲି ଯାଇ ବିବାହ କରିଥିଲେ । ପରେ ପସ୍ତା, ନରେନ୍ଦ୍ରପୁର, ଥାଉରୀ, ବାଲିଆ ପ୍ରଭୃତି ବିଦ୍ୟାଳୟରେ ଶିକ୍ଷକତା କରି ନିଜ ନୀତିନିଷ୍ଠାର ପରାକାଷ୍ଟା ଦେଖାଇବା ସହିତ ଗାନ୍ଧୀନୀତିର ବାର୍ତ୍ତାବହ ଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିଜକୁ କର୍ମଠ ରଖିବା ସହିତ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କର ବିୟୋଗ ଖବରପାଇ ଜିଲ୍ଲାର ବହୁ ବିଶିଷ୍ଟବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଁଚି ତାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଶେଷରେ ଶବ ଶୋଭାଯାତ୍ରା ଗ୍ରାମ ପରିକ୍ରମାକରି ମଧୁସାଗର ବିଦ୍ୟାପୀଠରେ ପହଁଚିବା ପରେ ସେଠାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାସୁମନ ଜଣାଇବାପରେ ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ସତ୍ୟାନନ୍ଦ ପରିଡା ମୁଖାଗ୍ନୀ ଦେଇଥିଲେ ।