ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କମିଟି ବୈଠକ ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ପ୍ରାରମ୍ଭରେ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସୁରସାମ୍ରାଜ୍ଞୀ ଭାରତରତ୍ନ ସ୍ୱର୍ଗୀୟା ଲତା ମଙ୍ଗେସକରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରାଯାଇଥିଲା । ଏଥି ସହିତ ସାମ୍ପ୍ରତିକ ସ୍ଥିତିରେ ବରିଷ୍ଠ ନାଗରିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲେଶକପାତ କରିଥିଳେ । କରୋନା ସଂକ୍ରମଣର ଭୟାବହତା ଭିତରେ ଗତ ଦୁଇବର୍ଷଧରି ସମଗ୍ର ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କର ସାଂଗଠନିକ ସ୍ଥିତି ଅତ୍ୟନ୍ତ ନିଷ୍କ୍ରିୟ ହୋଇପଡ଼ିଛି । ଏନେଇ ବରିଷ୍ଠ ନାଗରିକ ମଞ୍ଚର ସାଂଗଠନିକ ସ୍ଥିତିକୁ ସୁଧାରିବା ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କେତେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ଅକ୍ଟୋବର ୧୦ତାରିଖ ଦିନ ମଞ୍ଚର ପ୍ରତିଷ୍ଠା ଦିବସ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରେଳବିଭାଗ ତରଫରୁ ବରିଷ୍ଠ ନାଗରିକମାନଙ୍କ ରେଳଯାତ୍ରା ପାଇଁ ରିହାତି ପୁନଃ ପ୍ରଚଳନ ପାଇଁ ବୈଠକରେ ଦାବି କରାଯାଇଛି । ଅନ୍ୟପକ୍ଷରେ ଏହି ଅବସରରେ ଏକ ପୂର୍ଣ୍ଣାଙ୍ଗ ୧୧ଜଣିଆ ପରିଚାଳନା କମିଟି ଘୋଷଣା କରାଯାଇଥିଲା । ଏଥିରେ ୪ଜଣ ସ୍ୱତନ୍ତ୍ର ନିମିନ୍ତ୍ରିତ ସଦସ୍ୟ ସଦସ୍ୟା ଅଛନ୍ତି । ଏଥି ସହିତ ୩୫ଜଣ ସଦସ୍ୟ ସଦସ୍ୟାଙ୍କୁ ଉପଦେଷ୍ଟା ମଣ୍ଡଳୀରେ ଗ୍ରହଣ କରାଯାଇଛି । କମିଟି ଦ୍ୱାରା ଗୃହୀତ ଉକ୍ତ ପରିଚାଳନା କମିଟି ଆଗାମୀ ବାର୍ଷିକ ସାଧାରଣ ସଭାରେ ଅନୁମୋଦନ ଲାଭ କରିବାପରେ ୨୦୨୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଉକ୍ତ ପରିଚାଳନା କମିଟିରେ ଜିଲାପାଳ ଅଧ୍ୟକ୍ଷ, ବୈଦ୍ୟନାଥ ଷଡ଼ଙ୍ଗୀ ସଭାପତି, ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବିଷ୍ଣୁପ୍ରସାଦ ମହାନ୍ତି – ଉପସଭାପତି, ଲକ୍ଷ୍ମୀଧର ବେହେରା-ସାଧାରଣ ସମ୍ପାଦକ, ସୀତାରାମ ପ୍ରଧାନ-ସମ୍ପାଦକ, ଶରତ ଚନ୍ଦ୍ର ଦାଶ- କୋଷାଧ୍ୟକ୍ଷ ଏବଂ ଲକ୍ଷ୍ମୀନାରାୟଣ ଘୋଷ, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ ଓ ଯଶୋଦା ନନ୍ଦନ ଆଶଙ୍କୁ ପରିଚାଳନା କମିଟି ସଦସ୍ୟ ଭାବରେ ଗ୍ରହଣ କରାଯାଇଛି । ପୂର୍ବପରି ଅକ୍ଷୟ କୁମାର ତ୍ରିପାଠୀଙ୍କୁ ହିସାବ ସମୀକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି । ଦେବେନ୍ଦ୍ର ନାଥ ଚୌଧୁରୀ-ସଂଯୋଜକ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ଜେନାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏତଦ୍ଭିନ୍ନ ଏକ ୩୫ଜଣିଆ ପରାମର୍ଶଦାତା କମିଟି ଗଠିତ ହୋଇଛି ।