ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ୱାରା ଅନଶନ ଭଙ୍ଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗତ ୧୫ତାରିଖରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗିରଫ ହୋଇଥିବା ୯ ଜଣ ଆନ୍ଦୋଳନକାରୀ ବୁଧବାର ସକାଳ ୯ ଘଟିକା ସମୟରେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି । ବରିଷ୍ଠ ସାମ୍ବାଦିକ ରବି ଦାସ ୯ ଦିନ ଧରି ଅନବରତ ଭାବେ ଚାଲିଥିବା ଆମରଣ ଅନଶନରେ ବସି ରହିଥିବା ଆଶାୟୀ ଶିକ୍ଷକଙ୍କୁ ଗ୍ଲୁକୋଜ ପାଣି ପିଆଇ ଅନଶନ ଭଙ୍ଗ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ଘରୋଇକରଣ ବନ୍ଦ କରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସପକ୍ଷରେ ଦୃଢ ମତ ପ୍ରକାଶ କରିଥିଲେ । ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ନକଲେ ଶୋଷିତ ଓ ବଞ୍ôଚତ କର୍ମୀଙ୍କ ଦ୍ୱାରା ଜନଆନ୍ଦୋଳନ ତୀବ୍ର ରୂପ ନେଇପାରେ ବୋଲି ଆଶାୟୀ ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି । ଜେଲ୍‌ରୁ ମୁକୁଳିିଥିବା ଆନ୍ଦୋଳନକାରୀମାନେ ସରକାର ଓ ପ୍ରଶାସନକୁ ତୀବ୍ର ସମାଲୋଚନା କରି ଖୋଲାଖୋଲି ଚେତାବନୀ ଦେଇଛନ୍ତି ଯେ, ‘ସରକାର ମହୁମାଛି ଫେଣାରେ ଟେକା ଫୋପାଡ଼ିଛନ୍ତି, ତେବେ ଆଗାମୀ ଦିନରେ ମହୁମାଛି ଦଂଶନ କିଭଳି ରୂପ ନେବ ତାହା ସମ୍ପର୍କରେ ସ୍ୱପ୍ନରେ ମଧ୍ୟ କଳନା କରିପାରିବେ ନାହିଁ’ । ପୂର୍ବତନ ବିଧାୟକ ନାରାୟଣ ରେଡ଼ି ଅନଶନକାରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସାମ୍ପ୍ରତିକ ସମୟରେ ଯୁବପିଢିଙ୍କ ପାଇଁ ଏକ ନୂତନ ଆଦର୍ଶ ସାଜିଛି ବୋଲି ଅଭିହିତ କରିଛନ୍ତି । ଅନଶନ ଭାଙ୍ଗିବା ପରେ ସଂଘର ସଭାପତି ଜୀବନବନ୍ଧୁ ଭୋଇ ସରକାରଙ୍କ ତରଫରୁ ଆନ୍ଦୋଳନକାରୀଙ୍କ ପ୍ରତି ହୋଇଥିବା ଅମାନବୀୟ ମନୋଭାବକୁ ତୀବ୍ର ସମାଲୋଚନା କରିବା ସହ ଆଗାମୀ ବିଧାନସଭା ଅଧିବେଶନ ସମୟରେ ରାଜ୍ୟର ବେରୋଜଗାର ଯୁବପିଢି ଗାନ୍ଧୀମାର୍ଗରେ ଉପସ୍ଥିତ ହେବେ ବୋଲି ଚେତାବନୀ ଦେଇଛନ୍ତି । ସଂଘର ସମ୍ପାଦକ ସୁବ୍ରତ ପଣ୍ଡା, ଓଜେଟାର ଏହି ଆନ୍ଦୋଳନ କେବଳ ଶିକ୍ଷକ ନିଯୁକ୍ତି ପାଇଁ ନୁହେଁ, ବରଂ ସମଗ୍ର ରାଜ୍ୟର ଧ୍ୱସ୍ତ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଏହି ଆନ୍ଦୋଳନରେ ମମିତା ମହାନ୍ତି, ଶିଖାରାଣୀ ପାଢୀ, ଜୟଶ୍ରୀ ଜେନା, ମନୋଜ କର, ଦୀପକ ସାହୁ, ସ୍ୱାଗତ କୁମାର ନାୟକ, ବ୍ରହ୍ମାନନ୍ଦ ବାରିକ, ରଜତ ବରାଳ, ବଳରାମ ପ୍ରଧାନ, ଶେଷଦେବ ଯଜ୍ଞକାମ ଦେଓ, ସୁମନ୍ତ ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ରେଶମା ମହାନ୍ତି ପ୍ରମୁଖ ଅନଶନକାରୀ ଅନଶନରୁ ପ୍ରତ୍ୟାହୃତ ହେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ