ବରେଣ୍ୟ ଆଧ୍ୟାତ୍ମିକ ଯୋଦ୍ଧା ସ୍ୱାମୀଜୀପ୍ରତି

ବିପିନ ବିହାରୀ ମହାନ୍ତି

ଯୁଝିବା ଅର୍ଥରେ ଯୋଦ୍ଧା । କାର୍ଯ୍ୟ ଓ କାରଣକୁ ନେଇ ଯୋଦ୍ଧା ମାନଙ୍କୁ ଶ୍ରେଣୀ ଭୁକ୍ତ କରାଯାଇଥାଏ । ଯୋଦ୍ଧାର କର୍ତ୍ତବ୍ୟ ହିଁ ସଂଗ୍ରାମ କରିବା । ସେ ଜୀବନ ସଂଗ୍ରାମ ହୋଇପାରେ; ହୋଇପାରେ ରାଜନୈତିକ ସଂଗ୍ରାମ , ଆଧ୍ୟାତ୍ମିକ ସଂଗ୍ରାମ ଅଥବା ସେମିତି କିଛି । ସଂଗ୍ରାମ ପାଇଁ ଯୋଦ୍ଧାର ବଳ ଦରକାର । ସେ ବାହୁବଳ ହୋଇପାରେ; ହୋଇପାରେ ଅସ୍ତ୍ର ବା ଶସ୍ତ୍ର ବଳ; ମନୋବଳ; କଳବଳ; କୌଶଳବଳ; ମାନସିକ ବଳ ଅଥବା ଆଧ୍ୟତ୍ମିକ ବଳ ଇତ୍ୟାଦି ହୋଇପାରେ । ବଳକୁ ଆଧାର କରି ସ୍ୱାମୀ ବିବେକାନନ୍ଦଙ୍କ ପରି କେହି ଆଧ୍ୟାତ୍ମିକ ଯୋଦ୍ଧା, ଗାନ୍ଧିଙ୍କ ପରି କେହି ନିରସ୍ତ୍ର ଯୋଦ୍ଧାତ, କେହି ନେତାଜୀଙ୍କ ପରି ପ୍ରଚଣ୍ଡ ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଯୋଦ୍ଧା ହୋଇପାରନ୍ତି । ଏମାନଙ୍କ ଉଦ୍ଦେଶ୍ୟ ଥିଲା ଗୋଟିଏ ଅଥଚ ସାଧନାର ମାର୍ଗଥିଲା ନିଆରା ।
ସ୍ୱାମୀ ବିବେକାନନ୍ଦ , ଗାନ୍ଧି ଏବଂ ନେତାଜୀ ଏମାନେ ସମସ୍ତେ ମହାନ୍ ଦେଶପ୍ରେମୀ, ସମସ୍ତେ ପରାଧୀନ ଭାରତର ମୁକ୍ତି କାମନା କରୁଥିଲେ ଏବଂ ବିଶ୍ୱ ଦରବାରରେ ଭାରତର ପରମ୍ପରା, ଧର୍ମ ଏବଂ ଐତିହ୍ୟକୁ ନେଇ ସ୍ୱତନ୍ତ୍ର ସ୍ଥାନ ଦାବୀ କରୁଥିଲେ ଓ ସେହି ଅର୍ଥରେ ଲଢୁଥିଲେ ।
ସ୍ୱାମୀ ବିବେକାନନ୍ଦ, ସଂକ୍ଷେପରେ ସ୍ୱାମୀଜୀ, ଥିଲେ ଜଣେ ଆଧ୍ୟାତ୍ମିକ ଯୋଦ୍ଧା, ସଂଗଠକ ଏବଂ ସ୍ୱଦେଶ ପ୍ରେମୀ ।ତାଙ୍କ ବାଲ୍ୟକାଳର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ । ତାଙ୍କ ପିତାଙ୍କ ନାମ ଥିଲା ବିଶ୍ୱନାଥ ଦତ୍ତ ଏବଂ ମା’ ଥିଲେ ଭୁବନେଶ୍ୱରୀ । ଏହିମାନଙ୍କ କୋଳରେ ନରେନ୍ଦ୍ରନାଥ ଜନ୍ମ ନେଲେ ୧୨ ଜାନୁୟାରୀ ୧୮୬୩ ମସିହାରେ ଏକ ସୋମବାର ବାସରେ । ତାଙ୍କ ପିତା ତଥା ତାଙ୍କର ପୂର୍ବ ପୁରୁଷ ଥିଲେ ସମ୍ଭ୍ରାନ୍ତ , ଧର୍ମ ପ୍ରାଣ ତଥା କଳା ଓ ସଂଗୀତ ପ୍ରେମୀ । ଏମାନଙ୍କର ପ୍ରଭାବ ନିଶ୍ଚିତ ଭାବରେ ନରେନ୍ଦ୍ର ନାଥଙ୍କ ଉପରେ ପଡିଛି ।
ଯଥାରୀତି ବାଲ୍ୟଶିକ୍ଷା ଶେଷହୁଏ । ୧୮୬୧ ମସିହା ନଭେମ୍ବର ମାସ । ସେତେବେଳେ ତାଙ୍କୁ ୧୮ବର୍ଷ ଏବଂ ସେ ଏଫ୍‌.ଏ ପରୀକ୍ଷା ଦେବାକୁ ପ୍ରସ୍ତୁତି ହେଉଥାଆନ୍ତି, ଯେତେବେଳେ ତାଙ୍କ ଗାଁ ଶିମୁଳିଆ ନିକଟରେ ଏକ ସଭାରେ ଶ୍ରୀ ରାମ କୃଷ୍ଣଦେବଙ୍କ ସହ ତାଙ୍କର ଦେଖାହୁଏ । ସେଠାକୁ ନରେନ୍ଦ୍ରଙ୍କୁ ଗୀତ ଗାଇବାକୁ ଡକାଯାଇଥାଏ । ସେଇଠି ପ୍ରଥମ କରି ସଂପର୍କ ସ୍ଥାପନ ହୁଏ ଶ୍ରୀରାମକୃଷ୍ଣ ଦେବଙ୍କ ସହିତ ; ବଢ଼େ ଆତ୍ମୀୟତା ଏବଂ ପରବର୍ତ୍ତୀ ସମୟରେ ସେ ପାଲଟି ଯାଆନ୍ତି ତାଙ୍କ ଭକ୍ତ, ପଟ୍ଟଶିଷ୍ୟ, ଅନ୍ୟ ପକ୍ଷରେ ମା’କାଳୀଙ୍କ ଭକ୍ତ । ଦୀକ୍ଷୀତ ହୁଅନ୍ତି ସନ୍ନ୍ୟାସ ଧର୍ମରେ । ପରିବର୍ତ୍ତିତ ହୁଏ ନାମ । ନାମିତ ହୁଅନ୍ତି ଭିନ୍ନ ନାମେ: ସ୍ୱାମୀ ବିବେକାନନ୍ଦ ।
ଏହି ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ପ୍ରଚଣ୍ଡ ଦେଶପ୍ରେମୀ ଏବଂ ଆଧ୍ୟାତ୍ମିକ ଯୋଦ୍ଧା । ପାଶ୍ଚାତ୍ୟ ସଭ୍ୟତାକୁ ଭଲ ବୋଲି କହିବାକୁ ଭୟଙ୍କର ଭାବେ ଘୃଣା କରୁଥିଲେ ସେ ଏବଂ ତାଙ୍କ ଦାସତ୍ୱରୁ ମୁକ୍ତି ନେବାକୁ ଆହ୍ୱାନ ଖାଲି ଦେଉନଥିଲେ ବରଂ ଗୁରୁଗର୍ଜନ କରି କହୁଥିଲେ: “ହେ ଭାରତ! ଏହି ପରାନୁବାଦ, ପରାନୁକରଣ, ପରମମୁଖାପେକ୍ଷିତା, ଏହି ଦାସ ସୁଲଭ ଦୁର୍ବଳତା, ଏହି ଘୃଣିତ ଜଘନ୍ୟ ନିଷ୍ଠୁରତା,- ଏହି ସମ୍ବଳରେ କ’ଣ ତୁମେ ଉଚ୍ଚାଧିକାର ଲାଭ କରିବ? ଏହି ଲଜ୍ଜାକର କାପୁରୁଷତା ସହାୟତାରେ ତୁମେ ବୀର ଭୋଗ୍ୟ ସ୍ୱାଧୀନତା ଲାଭ କରିବ?”
ଯେଉଁ ସମୟରେ ପାଶ୍ଚାତ୍ୟ ଜଗତର ଦେଶମାନେ ଭାରତୀୟ ଧର୍ମଧାରା, ସଂସ୍କୃତି ଏବଂ ଆଦର୍ଶକୁ ହୀନ ଏବଂ ଭିନ୍ନ ଦୃଷ୍ଟିରେ ବିଚାରୁଥିଲେ ଏବଂ ଭାରତର ସନାତନ ଧର୍ମକୁ କୁସଂସ୍କାର ପୂର୍ଣ୍ଣ ବୋଲି କହୁଥିଲେ, ସେ ସେହି ଅସମୟରେ ଭାରତୀୟ ଧର୍ମ ଓ ସଂସ୍କୃତିର ମହିମା ଓ ଯଶ ଗାନକୁ ଉଦାର କଣ୍ଠରେ ଘୋଷଣା କରି ବିଶ୍ୱ ଦରବାରରେ ନିଜ ପ୍ରିୟ ଜନ୍ମଭୂମିକୁ ଗୌରବମୟ ଉଚ୍ଚାସନରେ ଅଧିଷ୍ଠିତ କରାଇଥିଲେ ସେ ଏବଂ ଭାରତୀୟମାନଙ୍କୁ ଜାଗୃତିର ସନ୍ଧାନ ଦେଇ ନିଜ ଜାତି ପ୍ରାଣରେ ଆତ୍ମବିଶ୍ୱାସ, ଦେଶପ୍ରେମ, ମାନବପ୍ରେମ, ତ୍ୟାଗ ଓ ସେବାରେ ପ୍ରେରଣା ଯୋଗାଇ ଜାତିକୁ ପ୍ରାଣବନ୍ତ କରି ଏ ଜାତିର ଗତିକୁ ପ୍ରଗତିରେ ପରିଣତ କରାଇ ଯେଉଁ ସ୍ପୃହା ସୃଷ୍ଟି କରାଇଛନ୍ତି, ତାହା କ୍ରମବର୍ଦ୍ଧିତ , କ୍ରମ ବିସ୍ତୃତ ଏବଂ ସୁଦୂର ପ୍ରସାରୀ ନିଶ୍ଚିତ ।
ଭାରତକୁ ବିଶ୍ୱଦରବାରରେ ଉପସ୍ଥାପିତ ଏବଂ ପ୍ରତିଷ୍ଠିତ କରିବାରେ ତଥା ଭାରତ ସଂପର୍କରେ ପାଶ୍ଚାତ୍ୟ ଜଗତର ସମସ୍ତ ଭ୍ରମ ଧାରଣାକୁ ଦୂର କରିବାରେ ଚିକାଗୋର “କଲମ୍ବସ୍ ହଲରେ” ଧର୍ମମହାସଭା ଥିଲା ସ୍ୱାମୀଙ୍କ ପାଇଁ ଏକ ଅପରାଜୟ ବିରାଟ କୃତିତ୍ୱ ଯାହା ବିଶ୍ୱାବସୀଙ୍କୁ ଖାଲି ଚମକାଇ ଦେଇନଥିଲା, ସେମାନଙ୍କ ହୃଦୟକୁ ଦୋହଲାଇ ଦେଇ ସମଗ୍ର ବିଶ୍ୱର ସମସ୍ତ ଧର୍ମର ଉର୍ଦ୍ଧ୍ୱରେ ଛିଡ଼ା କରାଇ ଭାରତ ଆଡ଼କୁ ସେମାନଙ୍କ ଦୃଷ୍ଟିକୁ ଆକର୍ଷଣ କରାଇ ଦେଇଥିଲା ।
ସ୍ୱାମୀ ଜୀ ଥିଲେ ବିଶ୍ୱପ୍ରେମୀ । ବିଶ୍ୱପ୍ରେମର ସଲିଳ ସିଂଚନ କରିଦେଲେ ଚିକାଗୋ ଧର୍ମ ମହାସଭାରେ । କହିଗଲେ: ସବୁଜାତି, ସବୁଧର୍ମ ମନୁଷ୍ୟକୁ ନିଜର ଭାଇ ବୋଲି ଭାବନ୍ତୁ ଏବଂ ଅନ୍ୟକୁ ଭାବିବାକୁ ଶିଖାନ୍ତୁ । ହତାଶ ମଣିଷ ପାଇଁ ଆଶାର ବାଣୀ ଶୁଣାଇ ସଭିଙ୍କ ଅନ୍ତରରେ ଅସୀମ ଶକ୍ତି, ଅପାର ଜ୍ଞାନ ଓ ଅଗାଧପ୍ରେମ ଭରିଗଲେ; ଏବଂ ଏହାର ବିକାଶ କଳ୍ପେ ଅଭୟ, ଆନନ୍ଦମୟ ଓ ଅମୃତସ୍ୱରୂପ ହୋଇ ଯା ବୋଲି କହିଗଲେ ।
ତାଙ୍କ ଦେଶପ୍ରେମର ପଟାନ୍ତର ନାହିଁ । ତାଙ୍କରି ଭାଷାରେ କହିଲେ: ଦେଶର ବିକାଶ ଲାଗି ଯଦି ନରକର ଯାତ୍ରୀ ହେବାକୁ ପଡେ, ତାହାହିଁ ମୋ ପକ୍ଷରେ ଶ୍ରେୟ । ୧୬ ଡିସେମ୍ବର ୧୮୯୬ରେ ଇଂଲଣ୍ଡରୁ ସ୍ୱଦେଶ ପ୍ରତ୍ୟାବତର୍ତ୍ତନ ବେଳେ ଶ୍ରୀ ଓ ଶ୍ରୀମତୀ ସେଭିୟାରଙ୍କୁ ସେ କହିଥିଲେ: ବର୍ତ୍ତମାନ ମୋର ଏକ ମାତ୍ର ଚିନ୍ତା ମୋ ଭାରତ; ମୋ ମାତୃଭୂମି: Now I have but one thought and that is India. I am looking forward to India.
ସେହି ବିଦାୟ ବେଳରେ କେହି ଜଣେ ପଚାରିଲେ: ସ୍ୱାମୀଜୀ, ଆପଣ ଆପଣଙ୍କ ମାତୃଭୂମିକୁ କେମିତି ଦେଖନ୍ତି? ଏଠି ଚାରିବର୍ଷ ବିଳାସୀ ଜୀବନ କଟାଇଲେ ପରେ ଭାରତ କ’ଣ ଆପଣଙ୍କୁ ଭଲ ଲାଗିବ?
ସେ ଉତ୍ତରରେ କହିଥିଲେ ଭାରତକୁ ମୁଁ ଭଲ ପାଉଥିଲି ଯାହା କେଇଦିନ ପାଇଁ ତାକୁ ଛାଡି ଆସିଥିଲି । ବର୍ତ୍ତମାନ ତା’ର ପ୍ରତିଟି ଧୂଳିକଣିକା ମୋ ପାଇଁ ପବିତ୍ରମାଟି । ଏହା ମୋର ପବିତ୍ର ଭୂମି, ତୀର୍ଥ ଯାତ୍ରାର ଭୂମି; ମୋ ତୀର୍ଥ କ୍ଷେତ୍ର । India I loved before I came away. Now the very dust of India has become holy to me. It is now the holy Land-the Place of Pilgrimage, the Tirtha. ବୋଧହୁଏ ତାଙ୍କ ଦେଶପ୍ରେମ ସଂପର୍କରେ ଏତିକି କହଲେ ଯଥେଷ୍ଟ ହେବ ।
ମଣିଷ ଦେହରେ ଅମଣିଷ ପଣିଆ ଦେଖି ସେ କହିଛନ୍ତି: ଗୋଟିଏ ମଣିଷ ଯଦି ତିଆରି ହୋଇପାରେ, ତାହାହେଲେ ଲକ୍ଷ ବକ୍ତୃତାର .କାର୍ଯ୍ୟସାଧିତ ହେବ । ମନୁଷ୍ୟ ହିଁ ଆବଶ୍ୟକ, କେବଳ ମନୁଷ୍ୟ ଆବଶ୍ୟକ ଆଉ ସବୁକିଛି ସମ୍ଭବ । ବୀର୍ଯ୍ୟଦାନ, ସଂପୂର୍ଣ୍ଣ ଅକପଟ, ତେଜସ୍ୱୀ ,ବିଶ୍ୱାସୀ ଯୁବଗୋଷ୍ଠୀର ଏଥିପାଇଁ ପ୍ରୟୋଜନ ଅଛି ।
ତାଙ୍କ ମତରେ କେବଳ ଯୁବଗୋଷ୍ଠୀ ଏ ବିଶ୍ୱକୁ ସମ୍ଭାଳି ପାରିବେ । ତାଙ୍କ ଚେତନ ଶକ୍ତିକୁ ଜାଗ୍ରତ କରାଇ ଯୁଗନିର୍ମାଣ ଓ ବିଶ୍ୱ ନିର୍ମାଣର ସହାୟକ ହେବେ । ତାଙ୍କ ମତରେ ଯୌବନରେ ମନର ସମସ୍ତ ଶକ୍ତି ସତେଜ ଥାଏ । ମନ ନମନୀୟ ଥାଏ । ଆନ୍ତରିକତା ସହିତ ଚେଷ୍ଟା କଲେ ଏ ସମସ୍ତ ପୂର୍ବ ଗଠନ ଭାଂଗି ମନକୁ ଯେପରି ଖୁସି ନୁତନ ଭାବରେ ଗଢ଼ିତୋଳିବା ସହଜ ହୁଏ । କୌଣସି ଉଚ୍ଚଭାବ ଗ୍ରହଣ କରି ଜୀବନରେ ସ୍ଥାୟୀ ଭାବରେ ଧରି ରଖିଥିବାର ଏହାହିଁ ଉପଯୁକ୍ତ ସମୟ । ମାନ୍ଦ୍ରାଜର ଯୁବକମାନଙ୍କୁ ତାଙ୍କ ଭାରତ ଭ୍ରମଣ କାଳରେ ସେ ଏକଦା କହିଥିଲେ: ମୁଁ ଚାହେ କେତେ ଜଣ ଯୁବକ । ବେଦ କହିଛି, ଅ।।ଶିଷ୍ଠ. ବଳିଷ୍ଠ , ଦୃଢିଷ୍ଠ ,ମେଧାବୀ ଯୁବକଗଣ ଈଶ୍ୱରଙ୍କୁ ଲାଭକରିବେ । ଏହି ସମୟ ସେମାନଙ୍କର ଭବିଷ୍ୟତ ଜୀବନ ଗତି ସ୍ଥିର କରିବାର ସମୟ ଯେତେବେଳେ ତୁମ୍ଭେମାନଙ୍କ ଭିତରେ ନବୀନତା ଓ ସତେଜଭାବ ରହିଛି, କାର୍ଯ୍ୟରେ ଲାଭ ଏହାହିଁ ସମୟ. . . . . ତୁମ୍ଭମାନଙ୍କର ଜାତିର କଲ୍ୟାଣ ପାଇଁ , ସମଗ୍ର ମାନବଜାତିର କଲ୍ୟାଣ ପାଇଁ ଆତ୍ମବଳି ଦାନ ଶ୍ରେଷ୍ଠକର୍ମ ।
କଲିକତାର ଯୁବକମାନଙ୍କୁ ସମ୍ବୋଦ୍ଧିତ କରି ସେ କହିଥିଲେ : ଯୁବକଗଣ! ଉଠ, ଜାଗ, ଶୁଭ ମୂହୁର୍ତ୍ତ ସମାଗତ. . . . । ସାହାସ ଅବଲମ୍ବନ କର, ଭୟକରନାହିଁ । ନିର୍ଭୀକ ହେବାକୁ ହେବ, ତେବେ ଯାଇ କାର୍ଯ୍ୟରେ ସଫଳତା ଲାଭ କରିବ । ଉଠ,ଜାଗ, କାରଣ ତୁମ୍ଭେମାନଙ୍କ ମାତୃଭୁମି ଏହିପରି ଆହ୍ୱାନ କରୁଛି । ଯୁବକମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସାଧିତ ହେବ । . .. . . . . . ହୃଦୟରେ ଉତ୍ସାହାଗ୍ନିଜାଳି ଜାଗ୍ରତହୁଅ ।
ଯୁବକମାନେ ଶକ୍ତିର ଉତ୍ସ ,ଦେଶ ଓ ଜାତିର ଭାଗ୍ୟବିଧାତା ଓ ନିର୍ମାତା । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଛାଡି ଯାଇଛନ୍ତି ଅନେକ ଅମର୍ଷିବାଣୀ ।
ଦେଶବାସୀଙ୍କ ପ୍ରତି ତାଙ୍କ ଭଲପାଇବାର ଭାବକୁ ଆକଳନ କରାଯାଇ ପାରିବ ନାହିଁ । ବିଦେଶରୁ ଫେରି ସେ ଭାରତୀୟ ମାନଙ୍କୁ କହିଥିଲେ: ମୁଁ ଭାରତକୁ ଫେରି ଆସିଛି ମୋର ସମସ୍ତ ଉଦ୍ଦେଶ୍ୟକୁ କହିବାକୁ ନେଇ; ଯଦି ଏକଥା ମାନ, ମୁଁ ତୁମାନଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ଅଛି । ଯଦି ନା’ଏବଂ ମୋତେ ପଦାଘାତ କର, ତଡିଦିଅ, ତଥାପି ମୁଁ ତୁମମାନଙ୍କ ପାଖରେ ଥିବି. . . .ଯଦି ବୁଡିବା , ତେବେ ଆମେ ସମସ୍ତେ ଏକ ହୋଇ ବୁଡ଼ିବା; କିନ୍ତୁୂ କାହାର ପ୍ରତି ଆମେ ଯେପରି କଟୁକ୍ତି ପ୍ରୟୋଗ ନକରୁ । . . . . ସମାଜର ପୃଷ୍ଟି ପାଇଁ ଯାହା ଆବଶ୍ୟକ , ତାହା ଏହାକୁ ଦେଇଦିଅ; ସେ ଆପଣାର ପ୍ରକୃତି ଅନୁଯାୟୀ ନିଜର ଦେହ ଗଠନ କରିବ. . . . .ମନରେ ଅଗ୍ନି ସଂଯୋଗ କର; ଅଗ୍ନିକ୍ରମଶଃ ଉର୍ଦ୍ଧ୍ୱ ଦେଶକୁ ଉଠୁ; ଗୋଟିଏ ଅଖଣ୍ଡ ଭାରତୀୟ ଜାତି ଗଠନ ହେଉ ।
ମୋଟ ଉପରେ ସ୍ୱାମୀଜୀଙ୍କର ସମାଜ ସେବା ଥିଲା ସଂଗଠନ ମୂଳକ, ଧ୍ୱଂସାତ୍ମକ ନୁହେଁ । ସମାଜରେ ଥିବା ସଂକୀର୍ଣ୍ଣତା , ଜାତିଭେଦ ଓ ବୈଷମ୍ୟ ଦୂରୀକରଣ ପାଇଁ ସେ କୁହନ୍ତି: ଅନୁନ୍ନତ ମାନଙ୍କର ଉନ୍ନତି କରି ସାମ୍ୟ ଆଣିବାକୁ ହେବ; ଉନ୍ନତକୁ ଅବନତ କରି ନୁହେଁ । ଏକଚାଟିଆ ଅଧିକାର କାହାକୁ ଦିଆଯାଇନାହିଁ । ସମସ୍ତଙ୍କ ପାଇଁ ସମାନ ଭୋଗ, ସମାନ ଅଧିକାର ବ୍ୟବସ୍ଥା କରିବାକୁ ହେବ ।
ଉଭୟ ନାରୀ ଓ ପୁରୁଷଙ୍କ ଶିକ୍ଷାପ୍ରତି ସେ ସମାନ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ ଗୋଟିଏ ଡେଣାରେ ପକ୍ଷୀ ଉଡିପାରେ ନାହିଁ । . . . । ଯେଉଁମାନଙ୍କର ମା’ ଶିକ୍ଷିତା ଓ ନୀତି ପରାୟଣା ହୁଅନ୍ତି , ସେମାନଙ୍କ ଘରେ ମହତ୍ ଲୋକ ଜନ୍ମଗ୍ରହଣ କରନ୍ତି । . . . .ସ୍ତ୍ରୀ ମାନଙ୍କୁ ଆମେ ଉଠାଇବାକୁ ହେବ. . . . ।
ଅର୍ଥାତ୍ ନାରୀଶକ୍ଷା ପ୍ରତି ସେ ଯଥାର୍ଥ ଗୁରୁତ୍ୱ ଦେଉଥିଲେ ।
ଭାରତରେ ସ୍ୱାଧୀନତା ଏବଂ ତା’ର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଆତ୍ମା କାନ୍ଦି ଉଠୁଥିଲା । ୧୮୯୭ ମସିହାରେ ସେ ଏକଦା କହିଥିଲେ ଯେ ଆଗାମୀ ୫୦ ବର୍ଷ ମାତୃଭୂମି ଯେପରି ଆମ୍ଭମାନଙ୍କର ଏକ ମାତ୍ର ଉପାସ୍ୟ ଦେବୀ ହୁଏ ।. . .. . ଏବେ ଉଠ ,ଜାଗ, ଦୀର୍ଘ ଅନ୍ଧକାର ରଜନୀର ଆବସାନ ହେଉଛି ।. . . .ଦୁର୍ଗତ ଜନଗଣଙ୍କର ସୁଖ ସମୃଦ୍ଧିର ଦିନ ସମାଗତ ।
ଠିକ୍ ଏହାର ପଚାଶ ବର୍ଷପରେ ଭାରତ ସ୍ୱାଧୀନ ହେଲା ୧୯୪୭ ମସିହାରେ । ଏହିକଥାଟି ଯେମିତି ତାଙ୍କୁ ଖାସ୍ ଦେଖା ଯାଉଥିଲା । ଆଉ ଗୋଟିଏ କଥା ମଧ୍ୟ ତାଙ୍କୁ ଦେଖାଯାଉଥିଲା ଯାହାକି ପ୍ରତିଟି ଜୀବ ପାଇଁ ନିଶ୍ଚିତ ସତ୍ୟ : ମୃତ୍ୟୁ । ସେହି ୧୮୯୭ରେ ସେ ଏକଦା ଘୋଷଣା କରିଥିଲେ . . . ମୋର କାର୍ଯ୍ୟ ଶେଷ ହୋଇଛି । . . . ଅତି ବେଶୀରେ ତିନି ଚାରିବର୍ଷ ଜୀବନ ଅବଶିଷ୍ଟ ଅଛି ।. . . . .. ବୋଧହୁଏ ମୁଁ ଚାଳିଶ ବର୍ଷ ଯାଏଁ ବଂଚିପାରିବି ନାହିଁ । I shall never live to see forty . . . .
୪ ଜୁଲାଇ ୧୯୦୨ ଶୁକ୍ରବାର ଥିଲା ତାଙ୍କ ଜୀବନର ଶେଷଦିନ । ସେତେବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ଓ କେଇ ମାସ । ମୃତ୍ୟୁର କେଇ ମୁହୂର୍ତ୍ତ ପୂର୍ବରୁ ମଠ ପ୍ରାଙ୍ଗଣରେ ବୁଲଚାଲ କଲାବେଳେ ସେ ମନକୁ ମନ ସେ କହିଚାଲିଥିଲେ: ଆଉ ଗୋଟିଏ ବିବେକାନନ୍ଦ ଥିଲେ ବୁଝିଥାଆନ୍ତା ଏହି ବିବେକାନନ୍ଦ କଣ କରିଗଲା ।. . . …
ବାସ୍ ସେହିଦିନ ରାତି ୯ଟାରେ ସେ ମହାସମାଧିରେ ମହାନିର୍ବାଣ ନେଲେ । ଭାରତମାତାର ଏକ ମହାନ୍ ଆଧ୍ୟାତ୍ମିକ ଯୋଦ୍ଧା ଓ ସନ୍ତାନର ଅବସାନ ଘଟିଲା । ସତରେ କ’ଣ ତାଙ୍କ ମନକଥା ବୁଝିବାକୁ ଆଉଜଣେ ବିବେକାନନ୍ଦ ଜନ୍ମ ହେବେ! ବୋଧ ହୁଏ ,ନୁହେଁ ।
ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମର ଠିକ୍ ୬ବର୍ଷ ୫ମାସ ଏବଂ ୨୧ଦିନ ପରେ ଅର୍ଥାତ୍ ଅକ୍ଟୋବର ୨ ୧୯୬୯ମସିହାରେ ଏ ଭାରତ ଭୂଖଣ୍ଡରେ ଯେଉଁ ମହାନ ବ୍ୟକ୍ତିତ୍ୱ ପଦାର୍ପଣ କଲେ ସେ ହେଉଛନ୍ତି ଆମର ନିରସ୍ତ୍ର ଯୋଦ୍ଧା ମହାତ୍ମା ଗାନ୍ଧି । ପୃଥିବୀର ସମସ୍ତ ପ୍ରାନ୍ତରୁ ବଡ଼ ଓ ସାନ, ଧନୀ ଓ ଗରିବ, ସମାର୍ଥ୍ୟବାନ ବା ସାମର୍ଥ୍ୟହୀନ, ବନ୍ଧୁ ଓ ଅବନ୍ଧୁ… ଇତ୍ୟାଦି ନିର୍ବିଶେଷରେ ଗାନ୍ଧିଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ପ୍ରଦର୍ଶନ କରିଥାନ୍ତି ଏବଂ ଯେଯାଏଁ ଚନ୍ଦ୍ର, ସୂର୍ଯ୍ୟ ଓ ତାରାମାନେ ଅଛନ୍ତି ଅଥବା ଗୋଟାଏ ମଣିଷ ଏ ପୃଥିବୀରେ ଥିବ ସେଯାଏଁ ଏ କଥା କରୁଥିବେ କାରଣ ତାଙ୍କପରି ଜଣେ ବ୍ୟକ୍ତିତ୍ୱ, ଏ ମରଜଗତରେ ନିହାତି ବିରଳ । ସେ ଏତେଭଲ, ଏତେ ଶ୍ରେଷ୍ଠ ଏବଂ ଏତେ ମହାନ ଥିଲେ ଯେ ତାଙ୍କ ନେଇ ଆଲବର୍ଟ ଏଇନଷ୍ଟେଇନ ଏକ ମନ୍ତବ୍ୟରେ କହିଛନ୍ତି ଆଗାମୀ ବଂଶଧର କ୍ୱଚିତ୍ ବିଶ୍ୱାସ କରିପାରନ୍ତି ଯେ ଏମିିିିତି ଜଣେ ରକ୍ତ – ମାଂସ ଧାରି ବ୍ୟକ୍ତି ଏ ପୃଥିବୀରେ ପଦାର୍ପଣ କରିଥିଲେ : Generation to come it may be, will scarce believe that such a one as this even in flesh and blood walked upon this earth.

ଅଧ୍ୟକ୍ଷ,

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ