ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ ଚିନ୍ତାରେ ଚାଷକୂଳ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ବର୍ଷ ଆବ୍ୟଶକ ପରିମାଣରେ ବର୍ଷା ନହେବା ଯୋଗୁଁ ଜଳ ଅଭାବରେ ଚାଷ ଜମି ଫାଟି ଆଁ ହେବାକୁ ବସିଲାଣି । ଗତ ସପ୍ତାହରେ ଲଘୁଚାପ ପ୍ରଭାବରେ ସାମାନ୍ୟ ଧରଣର ବର୍ଷା ହେବାର ଚାଷୀକୂଳ ଆଶ୍ୱସ୍ତ ଲାଭ କରିବା ସହ ଧାନ ତଳି ରୂଆ କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସପ୍ତାହେ ଧରି ହିଂଜିଳିକାଟୁ ଅଂଚଳରେ ବର୍ଷାର ଅଭାବ ଯୋଗୁଁ ଜମି ଫାଟି ଆଁ କରିବାକୁ ବସିଥିବା ବେଳେ ଧାନ ତଳି ପୋଡ଼ି ନଷ୍ଟ ହେବାକୁ ବସିଛି । ଖରିଫ ଧାନ ଫସଲ ପାଇଁ ଚାଷୀ ଜମିରେ ଧାନ ବିହନ ପକାଇ ଧାନରୂଆ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ଷା ଅଭାବରୁ ଜମି ଫାଟି ଆଁ ହେବାକୁ ଲାଗିଲାଣି । ବର୍ଷା ଅଭାବ ଯୋଗୁଁ କେନାଳ ଶୁଖିଲା ପଡ଼ିଛି । ଜଳ ଅଭାବ ଯୋଗୁଁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି । ଚଳିତ ବର୍ଷ ସ୍ଥାନୀୟ ବ୍ଳକରେ ୯ ହଜାର ୬ଶହ ୯୦ ହେକ୍ଟର ଚାଷ ଜମିରେ ବିଭିନ୍ନ କିସମର ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୮ଶହ ୫୧ ହେକ୍ଟର ଉଚ୍ଚ ଜମି, ୧ହଜାର ୯ଶହ ୭୭ହେକ୍ଟର ମଧ୍ୟମ ଜମି ଓ ୬ ହଜାର୮ ଶହ୬୨ ହେକ୍ଟର ଖାଲୁଆ ଜମିରେ ଧାନ ଚାଷ ହେବ ବୋଲି ଆକଳନ କରିଛି କୃଷି ବିଭାଗ । ସ୍ଥାନୀୟ କୃଷି ବିଭାଗର ନିର୍ଦ୍ଦେଶ ପ୍ରକାରେ ୨୧ ଟି ସମବାୟ ସମିତି ମଧ୍ୟରୁ ସମରଝୋଳ, ଗଣ୍ଡଳା, ବେଲଗାଁ, ବଡ଼ଖଣ୍ଡି, ଦୁର୍ବନ୍ଧ, ଭାବନ୍ଦ, ଚାନ୍ଦୁଲି, କଂଚୁରୁ, ମକରଝୋଳ, ନିମିଗାଁ, ସିକିରି ଓ ସାରୁ ସମବାୟ ସମିତି ସମେତ ଓଡ଼ିଶା ରାଜ୍ୟ ବିହନ ନିଗମରୁ ସ୍ୱିକୃତିପ୍ରାପ୍ତ ୯ଟି ଘରୋଇ କେନ୍ଦ୍ର ମଧ୍ୟରୁ ୮ଟି କେନ୍ଦ୍ର ପୂଜା, ୧୦୦୧, ଆର୍ଜିଲ, ମସୁରୀ ଭଳି ବିଭିନ୍ନ କିସମର ବିହନ ଉଠାଇ ପ୍ରାୟ ୨୦୩୨ କୁଇଂଟାଲ ବିହନ ବିକ୍ରି କରିଥିବା ସୂଚନା ମିଳିଛି । ମୌସୁମୀର ଆଗମନ ଦେଖି ଚାଷୀର ଛାତି କୁଣ୍ଢେମୋଟ ହୋଇ ଯାଇଥିଲା । ଚାଷ ଜମିରେ ଧାନ ବୁଣିବା ସହିତ ଧାନତଳି ପକାଇ ଖରିଫ ଚାଷ କାର୍ଯ୍ୟ କରିଥିଲେ । ଜୁନ ଶେଷ ସପ୍ତାହ ସୁଦ୍ଧା ମୌସୁମୀର ଲୁଚକାଳି ଖେଳ ଚାଲିଥିବାରୁ ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ କାଳ ସାଜିଛି । ଜୁନ ଓ ଜୁଲାଇ ମାସରେ ଆବଶ୍ୟକ ବର୍ଷା ନହେବା ଫଳରେ ଜମି ଫାଟି ଆଁ କରିବାକୁ ବସିଲାଣି । ରୋପଣ କରାଯାଇଥିବା ଧାନତଳି ପୋଡ଼ିଯାଇ ନଷ୍ଟ ହେବାକୁ ବସିଲାଣି ।