ବର୍ଷେ ପରେବି ଆରମ୍ଭ ହେଲାନି ଶ୍ରେଣୀଗୃହ : ଖୋଲା ଆକାଶରେ ଖାଉଛନ୍ତି ମଧ୍ୟାହ୍ନ ଭୋଜନ

ହାଟଡିହି, (ବିକାଶ ବିଶ୍ୱାଳ) :-ଶ୍ରେଣୀଗୃହ ନିର୍ମାଣ ପାଇଁ ଡିଏମଏଫରୁ ମିଳିଛି ଅନୁଦାନ, ଟେଣ୍ଡର ବି ସରିଛି, କିନ୍ତୁ ବର୍ଷେ ବିତିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ ଠିକାଦାର ଘରକାମ ଆରମ୍ଭ କଲେନି । ଫଳରେ ଏବେ ସ୍କୁଲର ୯୨ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବା କ୍ଷେତ୍ରରେ ନାନା ଅସୁବିଧା ଭୋଗୁଥିବା ବେଳେ ଖୋଲା ଆକାଶ ତଳେ ଖାଉଛନ୍ତି ମଧ୍ୟାହ୍ନ ଭୋଜନ । ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଷଡଙ୍ଗା ଗ୍ରାମରେ । ଷଡଙ୍ଗା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୯୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ଏହି ୮ଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ଅଛି । ଫଳରେ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ପିଲାମାନେ ବସୁଥିବାବେଳେ ଆଉ ଗୋଟିଏ ଗୃହରେ ୨ଟି ଶ୍ରେଣୀର ଓ ଆଉ ଗୋଟିଏ ଶ୍ରେଣୀର ପିଲାମାନେ ବାହାରେ ବସି ଶିକ୍ଷାଲାଭ କରୁଛନ୍ତି । ସ୍କୁଲରେ ବାରଣ୍ଡାର ସୁବିଧା ନଥିବାରୁ ପିଲାମାନେ ବାହାରେ ଖୋଲା ଆକାଶ ତଳେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଏନେଇ ଗ୍ରାମବାସୀଙ୍କ ଦାବିପରେ ସରକାରଙ୍କ ପକ୍ଷରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୨୯ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ବର୍ଷେ ତଳେ ବ୍ଲକ ପକ୍ଷରୁ ଟେଣ୍ଡର କରାଯିବାପରେ ଯେଉଁ ଠିକାଦାର ଟେଣ୍ଡର ପାଇଲେ ସେ ଥରେ ଦୁଇଥର ଆସି ସ୍କୁଲକୁ ବୁଲି ଯାଇଛନ୍ତି । କିନ୍ତୁ କାମ କରିବାର ନାଁ ଧରୁ ନାହାନ୍ତି । ବର୍ଷେ ଭିତରେ ଯଦି କାମ ଆରମ୍ଭ ହେଲାନି ଏବେ ଆଗକୁ ବର୍ଷାଦିନ ଆସିଲାଣି, ତେବେ କାମ ସରିବ କେବେ ବୋଲି ଗ୍ରାମର ଶଙ୍କର୍ଷଣ ଜେନା, ପ୍ରଶାନ୍ତ ପାତ୍ର, କାଳନ୍ଦୀ ମହାପାତ୍ର, ସୁବାସ ଚନ୍ଦ୍ର ଜେନା, କଳାକର ପାତ୍ର, ଯୋଗେନ୍ଦ୍ର ମୁଣ୍ଡା, ପରମାନନ୍ଦ ସେଠୀ, ବିଜୟ କୁମାର ରାଉତ, ମହେନ୍ଦ୍ର ରାଉତ, ଗଣେଶ ଜେନା, ପ୍ରଦୀପ ସେଠୀ ପ୍ରମୁଖ ସ୍କୁଲ କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ