ବଲିଉଡରେ ୫୦ ବର୍ଷ ପୂରଣ କଲେ ଅମିତାଭ
ଗତମାସ ୧୧ ତାରିଖରେ ୭୭ ବର୍ଷରେ ପାଦ ଥାପିଥିବା ଅମିତାଭ ବଚ୍ଚନ ବଲିଉଡରେ ୫୦ ବର୍ଷ ପୂରଣ କରିଛନ୍ତି । ୧୯୬୯ ମସିହା ତାଙ୍କର ଡେବ୍ୟୁ ଫିଲ୍ମ “ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନ୍ୟୁକମର୍ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ସେଦିନର ଯାତ୍ରା ଆଜି ଯାଏଁ ଜାରି ରହିଛି । ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପରଷ୍ଟାର ଆସିଛନ୍ତି, କିନ୍ତୁ ତାଙ୍କ ଷ୍ଟାର୍ଡମ୍ ଆଜି ଯାଏ ମଳିନ ପଡ଼ିନି । ଏବକାର ଅନେକ ବଡ଼ ବଡ଼ ଷ୍ଟାର୍ ବି ତାଙ୍କ ଆଗରେ ଫିକା ପଡ଼ି ଯା’ନ୍ତି । ଏବେବି ତାଙ୍କ ହାତରେ ରହିଛି ଫିଲ୍ମ?
“ଆନନ୍ଦ’, “ଜଞ୍ଜିର’, “ଶାଲେ’, “ଦିୱାର’, “ଡନ୍’, “କୁଲି’, “ଅଗ୍ନିପଥ୍’, “ଶେହନ୍ଶାହ’, “ଖୁଦାଗବାହ’ “କଭି ଖୁସି କଭି ଗମ୍’, “ବ୍ଲାକ୍’, “ପା’ ଓ “ପିକୁ’ ଭଳି ଫିଲ୍ମରେ କାମ କରିଥିବା ଅମିତାଭ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ଏଥିପାଇଁ ପାଇଛନ୍ତି ଗଦା ଗଦା ପୁରସ୍କାର ଓ ସମ୍ମାନ । ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ସେ । ଏହା ସହିତ ଅନ୍ୟାନ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇଛନ୍ତି । ଭାରତ ସରକାର ତାଙ୍କୁ “ପଦ୍ମଶ୍ରୀ’, “ପଦ୍ମଭୂଷଣ’ ଓ “ପଦ୍ମବିଭୂଷଣ’ ଭଳି ପୁରସ୍କାରରେ ସମ୍ମାନିତ କରିଛନ୍ତି । ତାଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବାଚ୍ଚ ପୁରସ୍କାର “ଦାଦା ସାହେବ ଫାଲକେ’ ପ୍ରଦାନ କରାଯିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ବଲିଉଡରେ ୫୦ ବର୍ଷ ପୂରଣ କରିବା ଅବସରରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜରେ ଲେଖିଛନ୍ତି, “ଆମେ ସମସ୍ତେ ତାଙ୍କର ମହାନତାର ସାକ୍ଷୀ ରହିଛନ୍ତି । ତାଙ୍କୁ ପ୍ରଶଂସା କରିବାର ବହୁ କାରଣ ରହିଛି । ତାଙ୍କଠାରୁ ବହୁତ କଥା ଶିଖି ହେବ । ସିନେ ପ୍ରେମୀଙ୍କ ବିଭିନ୍ନ ପିଢ଼ି କହନ୍ତି ଯେ ସେମାନେ ବଚ୍ଚନଙ୍କ ସମୟର । ବାପା, ଫିଲ୍ମ ଇଣ୍ଡଷ୍ଟ୍ରୀ ୫୦ ବର୍ଷ ପୂରଣ କରିଥିବାରୁ ଆପଣଙ୍କୁ ଶୁଭେଚ୍ଛା । ଆମେ ଏବେ ଆସନ୍ତା ୫୦ ବର୍ଷକୁ ଅପେକ୍ଷା କରିବୁ ।