ବସନ୍ତ ହିଁ ଅନନ୍ତ ଯୌବନର ପ୍ରତୀକ
ବାଲେଶ୍ୱର, (ସରୋଜ ପଣ୍ଡା):ରୂପ୍ସା ନୀଳମଣି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ସାହିତ୍ୟରେ ବସନ୍ତ ବର୍ଣ୍ଣନା ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜେଟିଓ ସୁଧାକର ଗିରି, ଶାନ୍ତିଲତା କଲେଜର ଅଧ୍ୟାପିକା ଡ. ମମତା ସାହୁ, ଦୀନକୃଷ୍ଣ ମହାବିଦ୍ୟାଳୟ ଜଳେଶ୍ୱରର ଅଧ୍ୟାପକ ଡ. ଅଜୟ ଗିରି, ଜଗାଇ କଲେଜର ଅଧ୍ୟାପିକା ସୁପ୍ରାସିନୀ ବେହେରା, ଅଧ୍ୟାପକ ହରେନ୍ଦ୍ର ଗାଆଣ, ଅଧ୍ୟାପକ ରଶ୍ମିତା ମହାପାତ୍ର ଓ ଅଧ୍ୟାପକ ଶ୍ରୀଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାମାନେ ନିଜ ନିଜର ଅଭିଭାଷଣରେ ବସନ୍ତ ହିଁ ଅନନ୍ତ ଯୌବନର ପ୍ରତୀକ ଓ ଏହା ବିନା ଜୀବନରେ କୌଣସି ଆଧାର ନାହିଁ ବୋଲି କହିବା ସହ ବସନ୍ତକୁ ନିଜ ଜୀବନରେ ସଠିକ୍ ଭାବେ ଉପଯୋଗ କରିପାରିଲେ ଏହା ଜୀବନକୁ ସରସ ସୁନ୍ଦର କରିଥାଏ ବୋଲି କହିଥିଲେ । ଯୌବନର ଅନନ୍ତ ଉନ୍ମଦନା ଯୁବପିଢ଼ିଙ୍କୁ ଜୀବନକୁ କିଭଳି ଜୀବନ୍ତ ଓ ସରସ ସୁନ୍ଦର କରିଥାଏ ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପ୍ରକୃତ ପ୍ରେମ ଦେହରେ ନଥାଏ, ଏହା ସମସ୍ତଙ୍କ ଭଲପାଇବା ଭିତରେ ଲୁଚି ରହିଥାଏ । ସେଇ ପ୍ରେମକୁ ଆଧାର କରି ଜୀବନ ଗଢିବାର ପ୍ରୟାସ କରିପାରିଲେ ଆଜିର ଯୁବସମାଜ ଆସନ୍ତାକାଲି ପାଇଁ ଇତିହାସ ନିର୍ମାଣ କରିପାରିବେ ଓ ଏଥିସହିତ ବିଶ୍ୱ ସାହିତ୍ୟରେ ବସନ୍ତର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଯୁକ୍ତ ତିନି ଓଡ଼ିଆ ସମ୍ମାନ ଶ୍ରେଣୀର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହି ବସନ୍ତ ଆସରକୁ ପରିଚାଳନା କରିଥିଲେ ଅଧ୍ୟାପକ ତପନ କୁମାର ଦାସ, ସମ୍ଭୁନାଥ ଗିରି, ପ୍ରଶାନ୍ତ ସିଂ, ସତ୍ୟେନ୍ଦ୍ର ପାଲ ଓ ବିଜୟ ବେହେରା ।