ବସ୍ତିବାସିନ୍ଦା ମାନଙ୍କୁ ଜମିପଟ୍ଟା ପ୍ରଦାନରେ ବିଳମ୍ବ, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ବସ୍ତିବାସିନ୍ଦା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ଅଧିନସ୍ଥ ୧୦ନଂ ଓ୍ବାର୍ଡ ବସ୍ତିବାସିନ୍ଦା ମାନଙ୍କୁ ଜାଗା ମିଶନ ଯୋଜନା ମାଧ୍ୟମରେ ଜମି ପଟ୍ଟା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଶତାଧିକ ବସ୍ତିବାସିନ୍ଦା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। କୋଣାର୍କ ଏନଏସି ୧୦ନଂ ଓ୍ବାର୍ଡର ବସ୍ତିବାସିନ୍ଦା ମାନଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ବସ୍ତିବାସିନ୍ଦା ଭୂଅଧିକାର ଅଧିନିୟମ – ୨୦୧୭ ଅନୁଯାୟୀ ବସ୍ତିକୁ ଚାରିଭାଗରେ ବିଭକ୍ତ କରାଯାଇ ଡ୍ରୋନ କେମେରା ସାହାଯ୍ୟରେ ଫଟୋ ଉତ୍ତୋଳନ କରାଯାଇ ସର୍ଭେ କାର୍ଯ୍ୟ ସଂପାଦିତ ହୋଇଥିଲା । କୋଣାର୍କ ଏନଏସି ପକ୍ଷରୁ ଏସଡିଏ କମିଟି ଗଠନ କରାଯାଇ ବସ୍ତିର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଜାଗା ମିଶନ ମାଧ୍ୟମରେ ଜମିପଟ୍ଟା ପ୍ରଦାନ ପାଇଁ ଏକ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକା ପ୍ରକାଶିତ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏନଏସି ଅନ୍ତର୍ଗତ ଅନ୍ୟ ଓ୍ବାର୍ଡ ମାନଙ୍କରେ ଏହି ଯୋଜନା ମାଧ୍ୟମରେ ଜମିପଟ୍ଟା ବଣ୍ଟନ କରାଯାଉଥିବା ବେଳେ ୧୦ନଂ ଓ୍ବାର୍ଡର ବସ୍ତିବାସିନ୍ଦା ମାନଙ୍କ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟଶାସନ ଓ ବିଭାଗୀୟ ସଚିବଙ୍କୁ ବସ୍ତିବାସିନ୍ଦା ମାନେ ନିବେଦନ କରିଛନ୍ତି। ଏହି ପ୍ରକ୍ରିୟାରେ ବିଳମ୍ବକୁ ନେଇ କୋଣାର୍କ ଏନଏସି ପକ୍ଷରୁ ବସ୍ତିବାସିନ୍ଦା ମାନଙ୍କୁ ନେଇ ଗଠିତ ଏସଡିଏ କମିଟି ସଭାପତି ସମେତ କର୍ମକର୍ତ୍ତା ମାନେ ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ କୁହନ୍ତି ତାଲିକା ଚୁଡାନ୍ତ ହୋଇ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି ମାତ୍ର ସେ ଏହାକୁ ଅନୁମୋଦନ କରୁନାହାନ୍ତି ବୋଲି କହି ନିର୍ବାହୀ ଅଧିକାରୀ ଏଡାଇ ଦେଉଛନ୍ତି ବୋଲି ବସ୍ତିବାସିନ୍ଦା ମାନେ ପ୍ରକାଶ କରିଛନ୍ତି। ଏହି ଓ୍ବାର୍ଡରେ ଏନଏସି ପକ୍ଷରୁ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ କୋଣାର୍କ ଏନଏସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ବେଳେ ତାହା କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏହି ଓ୍ବାର୍ଡରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଡଷ୍ଟବିନ ପାଇଁ ବସ୍ତିବାସିନ୍ଦା ମାନେ ଦାବି କରିଛନ୍ତି । ଜାଗା ମିଶନ ମାଧ୍ୟମରେ ୧୦ନଂ ଓ୍ବାର୍ଡ ବସ୍ତିବାସିନ୍ଦା ମାନଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ଜମିପଟ୍ଟା ପ୍ରଦାନ କରିବା ପାଇଁ ବସ୍ତିବାସିନ୍ଦା ମାନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତୁରନ୍ତ ବସ୍ତିବାସିନ୍ଦା ମାନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ୧୦ନଂ ଓ୍ବାର୍ଡର ପୂର୍ବତନ କାଉନସିଲର ପ୍ରତାପ ଗୋଛାୟତ, ଦୀପକ କୁମାର ବେହେରା, ପର୍ଶୁରାମ ଜେନା, ବ୍ରଜବନ୍ଧୁ ବେହେରା, ଏସଡିଏ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ମୁରୁଡି, ସଂପାଦିକା ପ୍ରତିମା ଦାସ, ନିର୍ମଳ କୁମାର ପ୍ରଧାନ ସମେତ ଶତାଧିକ ବସ୍ତିବାସିନ୍ଦା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ, ବିଭାଗୀୟ ସଚିବ, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି।


