ବସ୍ ଦୂର୍ଘଟଣାରେ ୩୪ ଆହାତ,୧ ଗୁରୁତର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍ ହାଟିଂ ଠାରେ ଗୁରୁବାର ସକାଳ ପ୍ରାୟ ୮ ଟା ସମୟରେ ବସ୍ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ନଟରାଜ ବସ୍ ନଂ ଓଡି୦୫ ଭି ୬୪୦୪ ବସ୍ଟି ଗୁରୁବାର ସକାଳ ୮ ଟା ସମୟରେ ଟାଟା ପ୍ରୋଜେକ୍ଟ ଲିମିଟେଡ(ଟିପିଏଲ) ର କର୍ମଚାରୀ ମାନଙ୍କୁ ନେଇ ଖଣ୍ଡବନ୍ଧ ଖଣିକୁ ଯାଉଥିବା ବେଳେ କେତ୍ ହାଟିଂ (କେ-୧୩) ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ବସ୍ ଟି ଭାଙ୍ଗିରୁଜି ଯାଇଥିବା ସହିତ ବସ୍ରେ ବସିଥିବା ୭୦ କର୍ମଚାରୀଙ୍କ ମଧ୍ୟରୁ ୩୫ ଜଣ କର୍ମଚାରୀ ଆହତ ହୋଇଥିଲେ । ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଟାଟା ଟିସ୍କୋ ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ଆହତ ମାନେ ହେଲେ ଅମନ କୁମୁଆ, ପ୍ରଦୀପ ନାଏକ, ମନୋଜ କୁମାର ରଏ, ପ୍ରେମ କୁମାର ରାଏ, ଲାଦୁରା ହାଇବ୍ରୁ, ମନୋଜ କୁମାର, ରାମଜିତ ଯାଦବ, ବସନ୍ତ କୁମାର କୁସଓା, ରାମ କୁମାର ସିଂ, ରୋସନ କୁମାର, ସେକ୍ ସକିବୁଲ୍, ଜଗନ୍ନାଥ ଚାତାର, କ୍ଷୀରୋଦ ଗୋପ, ମାନସିଂ, ରାଜକୁମାର ଶୁକଦେବ୍, ଅମର କୁମାର ସିଂ, ଅଜୟ ସିଂ, ଆଶାନନ୍ଦ ସିଂ, ବଂଶୀଧର ସିଂ , ଭିମ୍ଜିତ୍ ଯାଦବ । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ତେବେ ଆହତମାନଙ୍କଠାରୁ ମିଳିଥିବା ସୂଚନାନୁଯାୟୀ , ଟାଟା କମ୍ପାନୀର ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ର କର୍ମଚାରୀମାନଙ୍କୁ ନେଇ ବସ୍ ପ୍ରତିଦିନ ଯୋଡାଠାରୁ ପ୍ରାୟ ୧୨ କିଲୋମିଟର ଦୁର ଟାଟାର ଖଣି ଖଣ୍ଡବନ୍ଧକୁ ଯାଇଥାଏ । ବସ୍ ରେ ସିଟ୍ ସଂଖ୍ୟାଠାରୁ ଅଧିକ କର୍ମଚାରୀ ଏଥିରେ ଯିବା ପାଇଁ ବାଧ୍ୟ କରାଯାଏ । ଏଥିରେ ପ୍ରତିବାଦ କଲେ ତାଙ୍କର ଗେଟ୍ ପାସ କୁ ରଦ୍ଦ କରିଦିଆଯିବାର ଧମକ ଦିଆଯାଏ ବୋଲି ଆହତ ମନୋଜ କୁମାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଏହି ଟିପିଏଲ ବସ୍ ଦୁର୍ଘଟଣା ଘଟିଥିଲା । ଏଥିରେ ମଧ୍ୟ ବହୁ ସଂଖ୍ୟକ କର୍ମଚାରୀ ଆହତ ହୋଇଥିଲେ । ଚଂଚକତା କରି ବସ୍ ଟିକୁ ଲୁଚାଇ ଦିଆଯାଇଥିଲା । ପୋଲିସକୁ ଚାପ ପଡିବା ଫଳରେ ବସ୍ ଟି ଅନେକ ଦିନ ପରେ ଜବତ ହୋଇଥିଲା । ଗୁରୁବାର ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଟିପିଏଲ କମ୍ପାନୀ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, କୌଣସି ପ୍ରତିକ୍ରିୟା ଏନେଇ ମିଳିପାରିନଥିଲା । ଘଟଣା ସମ୍ପର୍କରେ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍ ଘଟଣା ସ୍ଥଳକୁ ଓ ଡାକ୍ତରଖାନାକୁ ପୋଲିସ ପଠାଇ ତଦନ୍ତ କରୁଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ