ବାତ୍ୟା କ୍ଷତିଗ୍ରସ୍ତ କନ୍ଦଳେଇରେ ଆଶ୍ରା ପକ୍ଷରୁ ରିଲିଫ୍ ବଣ୍ଟନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଫନି ବାତ୍ୟାକୁ ମାସେ ପୁରିବାକୁ ବସିଥିବା ବେଳେ ପୁରୀ, ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ଦୂର ହୋଇପାରି ନାହିଁ । ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଧିନସ୍ଥ ଆଦିବାସୀପଲ୍ଲୀ କନ୍ଦଳେଇରେ ଲୋକେ ଶ୍ରମଦାନ କରି ଧରାଶାୟୀ ହୋଇଥିବା ଗଛଲତାକୁ ହଟାଇଛନ୍ତି । ବିଜୁଳି, ପାଣି ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସହିତ ଲୋକେ ସଂଘର୍ଷ କରୁଥିବା ବେଳେ ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ସହାୟତାର ହାତ ବଢାଯାଇଛି । ବାତ୍ୟା ପ୍ରଭାବିତ କନ୍ଦଳେଇର ପ୍ରତ୍ୟେକ ପରିବାର ପାଇଁ ଆଶ୍ରା ପକ୍ଷରୁ ଗାମୁଛା, କ୍ୟାଣ୍ଡେଲ୍, ଲାଇଟର, ମଶାଧୂପ, ଇମର୍ଜେନି୍ସ ଲାଇଟ୍, ପୋଷାକ ଆଦି ଆବଶ୍ୟକୀୟ ସାମଗ୍ରୀମାନ ପ୍ରଦାନ କରାଯାଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶ୍ରାର ନିର୍ଦ୍ଦେଶକ ଶୁଭଜିତ୍ ସାହୁ, ଉପସଭାପତି ପ୍ରଶାନ୍ତ କୁମାର ଘଡ଼ାଇ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ସେଞ୍ଚୁରିଆନ୍ ବ୍ଲଡ଼ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ପ୍ରଦୀପ ରଞ୍ଜନ ରାଉତ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ବାତ୍ୟା ବିପନ୍ନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେଇଥିବାରୁ ଛତାବର ଗ୍ରାମ ପଞ୍ଚାୟତର ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ, ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ ଆଶ୍ରାକୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, କନ୍ଦଳେଇର ବିକାଶ ନିମନ୍ତେ ଆଶ୍ରା ବିଗତ କିଛିବର୍ଷ ଧରି ନିଷ୍ଠାପର ଉଦ୍ୟମ ଜାରି ରଖିଛି ।