ବାତ୍ୟା ରାତିର ଖାଦ୍ୟ ଘୋଟାଲା ଞ୍ଚଚାଲିଛି ମଣିଷ ଖୋଜା,ଦସ୍ତଖତ ଅଭିଯାନ
ନାଉଗାଁ :ଫନିର ପ୍ରଭାବରେ ଅସଜଡା ଘର ଏବେ ସଜଡା ହେଉଛି । ନାଉଗାଁ ବ୍ଲକରେ ବିଦ୍ୟୁତ ଖୁଂଟ ଏବେ ସଳଖି ହୋଇ ଠିଆ ହେଉଛି । କାଁ ଭାଁ କେତେକ ଗ୍ରାମକୁ ଛାଡି ଦେଲେ ପ୍ରାୟ ସ୍ଥାନରେ ଅନ୍ଧାରର ରାଜୁତି କମି ଗଲାଣି । କିନ୍ତୁ ଏବେ କାଗଜ ପତ୍ର ସଜାଡିବାରେ ବ୍ୟସ୍ତ ହେଉଛନ୍ତି ନାଉଗାଁ ବ୍ଲକ ପ୍ରଶାସନ । “ଖାଇ ଗଲେ ବାତ୍ୟା ରାତିର ଖାଦ୍ୟ” ଶିର୍ଷକ ଖବର ପ୍ରକାଶ ପାଇବା ପରେ ଏବେ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଉଚ୍ଚ କତୃପକ୍ଷଙ୍କ ଠାରୁ ତାଗିଦ ଫୋନ ଆସିବାରେ ଲାଗିଛି । ବିଚରା ବାବୁମାନେ ଏବେ ପଂଚାୟତକୁ ଦୌଡି ଲୋକମାନଙ୍କ ନା ଓ ଦସ୍ତଖତ ଯୋଗାଡ କରି ଖାତା ସଜାଡି ଚାଲୁଥିବା କୁହାଯାଉଛି ।
ସୂଚନା ଯୋଗ୍ୟ କି ଫନିର ପ୍ରଭାବରୁ ନାଉଗାଁ ବ୍ଲକର ଅନେକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ମାତ୍ର ଏହି ରନ୍ଧା ଖାଦ୍ୟ ଯୋଗାଣରେ ସଂଖ୍ୟାର ଖେଳ ବେଶ ରୋଚକ ଥିଲା । ବାସ୍ତବ ଚିତ୍ର ଠାରୁ ଢେର ଅଲଗା ଥିଲା ସଂଖ୍ୟାରେ ଖେଳ । କେଉଁ ବାତ୍ୟା ଆଶ୍ରୟ ସ୍ଥଳୀକୁ ୧୦ଜଣ ଆସିଥିବା ବେଳେ ସେମାନଙ୍କ ସଂଖ୍ୟା ୧୦୦ ଦେଖାଯାଇ ୯୦ଜଣଙ୍କ ନାମରେ ଖାଦ୍ୟ ହରିଲୁଟ୍ କରି ତଳ ଠାରୁ ଉପର ପର୍ଯ୍ୟନ୍ତ ମିଲିଭଗତରେ ବାଂଟକୁଂଟ କରାଯାଇଥିଲା । ବ୍ଲକର କିଛି ବରିଷ୍ଠ କର୍ମଚାରୀଙ୍କୁ ପଚାରିବାରୁ ଏହା ସବୁଆଡେ ହୋଇଛି । ଲୋକ ଆସୁ ନଥିଲେ ଆଉ ଆମକୁ ବାରମ୍ବାର ଉପରୁ ନିର୍ଦ୍ଦେଶ ଆସୁଥିଲା ଲୋକଙ୍କୁ ଅଧିକ ମାତ୍ରାରେ ଆଣ । ଆମେ ସେଠି କ’ଣ କରିଥାନ୍ତୁ ବୋଲି ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । ସେହିପରି ଅନେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଦୁଇ ଘଂଟା ଆଲେକ ବ୍ୟବସ୍ଥା କରି ରାତି ତମାମର ଅର୍ଥ ହରିଲୁଟ କରଯାଇଥିବା ବେଳେ ବିସ୍କୁଟ ଓ ଚୁଡା,ଗୁଡ ଆଦିକୁ ଅଳପ ପରିମାଣ ଦେଇ ଅଧିକ ହରିଲୁଟ କରାଯିବାର ଯୋଜନା ବ୍ଲକ କର୍ମଚାରୀଙ୍କୁ ଧରି ଏକ ମାଫିଆ ଗୋଷ୍ଠୀ ଯୋଜନା ଚଳାଇଥିବା ଚର୍ଚ୍ଚା ଚାଲିଛି । ବାସ୍ତବରେ ଏହି ସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ସ୍ଥାନ ଓ ଗୋଦାମ ଗୃହକୁ ଯାଂଚ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସନ୍ତା ବୋଲି କୁହାଯାଉଛି ।