ବାମପନ୍ଥୀ ଶ୍ରମିକ ନେତା ନିକୁଞ୍ଜ ବସନ୍ତରାୟଙ୍କ ଦେହାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଭ୍ୟ ତଥା ସି.ଆଇ.ଟି.ୟୁ.ର ସଦାବେଳିଆ କର୍ମୀ ଶ୍ରମିକନେତା ନିକୁଞ୍ଜ ବସନ୍ତରାୟଙ୍କର ସୋମବାର ଦିନ ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ଶ୍ୱାସଜନିତ ସମସ୍ୟା କାରଣରୁ ସେ ଗତକାଲି ମଧ୍ୟରାତ୍ରିରୁ ବାଲେଶ୍ୱର ଫକୀରମୋହନ ମେଡିକାଲ୍ କଲେଜ୍ ହସପିଟାଲ୍ରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ସ୍ୱର୍ଗତଃ ବସନ୍ତରାୟ ଭଦ୍ରକ ଜିଲ୍ଲା ଭୂୟାଁଉଆସ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିର ସଦସ୍ୟତା ଗ୍ରହଣ କରି ଭୁବନେଶ୍ୱରରେ ଓ ୧୯୮୫ ମସିହାରୁ ବାଲେଶ୍ୱର ଜିଲ୍ଲାରେ ପରିବହନ ଶ୍ରମିକ, ରେଲୱେ ଶ୍ରମିକ, ଆଶାକର୍ମୀ ଓ ଟ୍ୟାକ୍ସି ଚାଳକସଂଘ ପ୍ରଭୃତିରେ ନେତୃତ୍ୱ ନେଇଆସିଥିଲେ । ମୃତ୍ୟୁଶଯ୍ୟା ପାଖରେ ତାଙ୍କର ବିଧବା ପତ୍ନୀ ଗାୟତ୍ରୀ ଓ ଏକମାତ୍ର ପୁତ୍ର ଅଭିନ୍ନ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବାପରେ ବିଭିନ୍ନ ଶ୍ରମିକ ସଂଗଠନ ଓ ଗଣସଂଗଠନ ପକ୍ଷରୁ ସର୍ବଶ୍ରୀ ନିର୍ମଳ ନାୟକ, ରାଜକିଶୋର ଲେଙ୍କା, ଶ୍ୟାମସୁନ୍ଦର ଜେନା (କ), ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା (ଖ), ନିରଞ୍ଜନ ପରିଡ଼ା, ପ୍ରେମରଞ୍ଜନ ପାତ୍ର, ଆଇନଜୀବୀ ମନୋଜ ନାୟକ, ବିଜୟ ପାତ୍ର, ଉମାକାନ୍ତ ପାତ୍ର, ରାଜକିଶୋର ପାତ୍ର, ନିରଞ୍ଜନ ସାହୁ ଓ ସିକନ୍ଦର ଖାଁ ପ୍ରମୁଖ ହସପିଟାଲରେ ପହଂଚି ସ୍ୱର୍ଗତ ବସନ୍ତରାୟଙ୍କୁ ଶେଷଦର୍ଶନ କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ।