ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ର ହୋଇ ଭିକାରୀ…….

ବିପିନ ବିହାରୀ ମହାନ୍ତି

ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଶ୍ରୀ ମନ୍ଦିରରେ ବର୍ଷସାରା ଯାତ୍ରା ମହୋତ୍ସବ ପାଳିତ ହୁଏ । କେତେକଙ୍କ ମତରେ ଏହା ଛପନ ବା ଅଣଷଠି ପ୍ରକାର ବେଳେ, ଆଉ କେହି ମତ ଦିଅନ୍ତି ଯେ ଏହା ବାଷଠି ପ୍ରକାର । ତେବେ ବର୍ଷର ବାର ମାସକୁ ଧରି ସେମାନେ ଏହିପରି ପାଳିତ ହୁଅନ୍ତି :
ବୈଶାଖରେ ପଣାସଂକ୍ରାନ୍ତି, ଦମନକ ଏକାଦଶୀ, ଅକ୍ଷୟ ତୃତୀୟା ଏବଂ ନିଳାଦ୍ରୀ ମହୋତ୍ସବ ପାଳିତ ହୁଏ; ଜ୍ୟେଷ୍ଠରେ ନୃସିଂହ ଚତୁର୍ଦ୍ଦଶୀ, ରାଜେନ୍ଦ୍ରାଭିଷେକ, ରୁକ୍ମିଣୀ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ସ୍ନାନଯାତ୍ରା, ଅନବସର ଏବଂ ନେତ୍ରୋତ୍ସବ, ଆଷାଢ଼ ମାସରେ ଶ୍ରୀ ଗୁଣ୍ଡିଚା, ନବଦିନ ଯାତ୍ରା, ହେରାପଞ୍ଚମୀ, ଶୟନ ଏକାଦଶୀ, ଗରୁଡ଼ ଶୟନ ଦ୍ୱାଦଶୀ ଓ ବାହୁଡ଼ା ଯାତ୍ରା; ଶ୍ରାବଣ ମାସରେ କର୍କଟ ସଂକାନ୍ତି, ଚିତାଲାଗି ଅମାବାସ୍ୟା, ପବିତ୍ରାଧିବାସ, ଝୁଲଣଯାତ୍ରା, ଗ୍ରହ୍ମପୂର୍ଣ୍ଣିମା ଓ ରେଖା ପଞ୍ଚମୀ, ଭାଦ୍ରବମାସରେ ରାହୁରେଖାଲାଗି, ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ସପ୍ତପୁରିକା ଅମାବାସ୍ୟା, ଗଣେଶ ଚତୁର୍ଥୀ, ଋଷି ପଞ୍ଚମୀ, ବାମନ ଜନ୍ମ, ଅନନ୍ତ ଚତୁର୍ଦ୍ଦଶୀ ଓ ଇନ୍ଦ୍ରଗୋବିନ୍ଦ ପୂଜା, ଆଶ୍ୱିନ ମାସରେ ଷୋଳ ପୂଜା, ଦ୍ୱିତୀୟା ଓଷା, ଦଶହରା, କୁମାର ପୂର୍ଣ୍ଣିମା; କାର୍ତ୍ତକ ମାସରେ ତୁଳା ସଂକ୍ରାନ୍ତି, ଉତ୍‌ଥାନ ଏକାଦଶୀ; ମାର୍ଗଶୀର ମାସରେ ନବାନ୍ନ, ପ୍ରଥମାଷ୍ଟମୀ, ଓଢ଼ଣୀ ଷଷ୍ଠୀ; ପୌଷରେ ବକୁଳ ଅମାବାସ୍ୟା, ପୁଷ୍ୟାଭିଷେକ, ମାଘରେ ମକର ସଂକ୍ରାନ୍ତି, ବସନ୍ତ ପଞ୍ଚମୀ, ଓ ଶିବରାତ୍ରୀ, ଫାଲଗୁନରେ ଦୋଳ ପୂର୍ଣ୍ଣିମା ଏବଂ ଚୈତ୍ରରେ ଅଶୋକାଷ୍ଟମୀ, ଶ୍ରୀରାମ ନବମୀ ମହୋତ୍ସବ ଅନୁଷ୍ଠିତ ହୁଏ । ଯେପରି ମାସକୁ ନେଇ ଯାତ୍ରା, ସେହିପରି ଯାତ୍ରାକୁ ନେଇ ବାର ମାସରେ ବେଶ । ସେଗୁଡ଼ିକ ଯଥାକ୍ରମେ : ଚନ୍ଦନ ବେଶ, ଗଣେଶ ବେଶ, ରୁକ୍ମିଣୀ ହରଣ ବେଶ, ନବଯୌବନ ବେଶ, ସ୍ୱର୍ଣ୍ଣ ବେଶ, ଚିତାଲାଗି ବେଶ, ରାଧା ଦାମୋଦର ବେଶ, ବନଭୋଜି, କାଳୀୟ ଦଳନ, ପ୍ରଳମ୍ବବଧ, ବାମନ ବେଶ, ପଦ୍ମବେଶ, ଗଜୋଦ୍ଧାରଣବେଶ, ଚାଚେରୀବେଶ, କୁଣ୍ଡଳ ବେଶ ଓ ରାଜାରାମ ଇତ୍ୟାଦି ବେଶ ପ୍ରମୁଖ ଅଟନ୍ତି । ସେହିପରି କେତେ ନିର୍ଦ୍ଦିଷ୍ଟ ଦିନକୁ ନେଇ ମଧ୍ୟ ବେଶ କଥା ଅଛି । ଯେମିତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ହାତୀବେଶ, ଆଷାଢ଼ ଶୁକ୍ଲ ଏକାଦଶୀରେ ସୁନାବେଶ, ଭାଦ୍ରକୃଷ୍ଣ ଦଶମୀଠାରୁ ତ୍ରୟୋଦଶୀ ଯଥାକ୍ରମେ ବଣଭୋଜି , କାଳୀୟ ଦଳନ, ପ୍ରଳମ୍ବାସୁର ବଧ ଓ କୃଷ୍ଣ ବଳରାମ ବେଶ; ଭାଦ୍ରଶୁକ୍ଲ ଦ୍ୱାଦଶୀଠାରୁ ପୂର୍ଣ୍ଣିମା ଯାଏଁ ଯଥାକ୍ରମେ : ଠିଆକିଆ, ବାଙ୍କଚୂଡ଼ା, ଆଡ଼ିକିଆ ଓ ଗଜବେଶ; ପୌଷ ପୂର୍ଣ୍ଣିମାରେ ଗଜ ଉଦ୍ଧାରଣ ବେଶ, ଫାଲଗୁନ ପୂର୍ଣ୍ଣିମାରେ ରାଜବେଶ; ମାଘ କୃଷ୍ଣ ପ୍ରତିପଦା ଠାରୁ ତୃତୀୟା ଯାଏଁ ଶ୍ରାଦ୍ଧବେଶ, ଫାଲଗୁନ ଶୁକ୍ଲ ନବମୀରେ ଚାଚେରୀ ବେଶ, ଜ୍ୟେଷ୍ଠ କୃଷ୍ଣ ଦଶମୀଠାରୁ ପୂର୍ଣ୍ଣିମା ଯାଏଁ ଚନ୍ଦନଲାଗି ବେଶ ଏବଂ ଛ’ ଦିନ ବ୍ୟାପୀ ପଞ୍ଚୁକରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଭିନ୍ନମତେ ବୈଶାଖେ ମଧୁସୂଦନ, ଜ୍ୟେଷ୍ଠେ ତ୍ରିବିକମ, ଆଷାଢ଼େ ବାମନ, ଶ୍ରାବଣେ ରୂପ ଶ୍ରୀଧର, ଆଶ୍ୱିନେ ପଦ୍ମନାଭ / ଦୁର୍ଗାମାଧବ, ଭାଦ୍ରବେ ହୃଷିକେଶ, କାର୍ତ୍ତିକେ ଦାମୋଦର, ମାର୍ଗଶୀରେ କେଶବ, ପୌଷେ ନାରାୟଣ, ମାଘେ ମାଧବ, ଫାଲଗୁନେ ଦୋଳ ଗୋବିନ୍ଦ ଏବଂ ଚୈତ୍ରରେ ବିଷ୍ଣୁରୂପେ ଏବଂ ସେହିବେଶରେ ପୂଜା ହୁଅନ୍ତି ।
ଶ୍ରୀ ଜଗନ୍ନାଥ ଧାମରେ ଏ ସମସ୍ତ ଯାତ୍ରା ମଧ୍ୟରୁ ମାତ୍ର ଚାରୋଟିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ଯାହାକୁ ଦ୍ୱାଦଶ ଯାତ୍ରା ବୋଲି କୁହାଯାଏ । ତେବେ ଭିନ୍ନମତେ ଏହି ଦ୍ୱାଦଶ ଯାତ୍ରା ଭିନ୍ନ ଭିନ୍ନ ଅଟନ୍ତି ।
ଲୋକନାଥ ବିଦ୍ୟାଧରଙ୍କ ମତେ :
‘ସ୍ନାନଗୁଣ୍ଡିଚା ଶୟନ ଯାତ୍ରା ଅନ୍ତେ ଅୟନ ।
ପାରୁଶ ପରିବତ୍‌ର୍ନ ଉତ୍‌ଥାପନ ଓଢ଼ଣ ।ା
ମକର ଅଭିଷେକ ଦୋଳ ଦମନକ ଚନ୍ଦନ ।
ଯେ ରୂପେ ଦ୍ୱାଦଶ ଉତ୍ସବ ୟେକୋ ୟେକେ ସଘନ ।ା
ନୀଳାଦ୍ରି ମହୋଦୟ ୬ଷ୍ଠ ଅଧ୍ୟାୟ ଅନୁସାରେ ଏମାନେ ହେଲେ ସ୍ନାନଯାତ୍ରା, ଶୟନୋତ୍ସବ, ଅୟନୋତ୍ସବ, ପାଶ୍ୱର୍ପରିବର୍ତ୍ତନ, ଦେବୋତ୍‌ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ମକରୋତ୍ସବ, ଦୋଳଯାତ୍ରା, ଦମନୋତ୍ସବ ଏବଂ ଚନ୍ଦନଯାତ୍ରା ।
ପୁନଶ୍ଚ ବାଲୁଙ୍କୀପାଠୀଙ୍କ ଯାତ୍ରା ଭାଗବତିରେ ଉଲ୍ଲେଖ ଅଛି :
ଦୋଳଯାତ୍ରା ଦମନକ ମହୋଽଷଯ୍ୟ ଚାୟନେ ତୃତୀୟା
ମଞ୍ଚସ୍ନାନଂ ରଥବର ଗତିଃ ଶାୟନଂ ଚାୟନେ ଦ୍ୱେ ।ା
ପାଶ୍ୱର୍ାବୃତ୍ତି ଶୟପରିବର୍ତ୍ତିଃ ପ୍ରାବୃତିଃ ପୂଷ୍ୟପୂଜା
ଏ ଯାତ୍ରାବିଧି ନିର୍ଗଦିତା ଦ୍ୱାଦଶୈତା ନରେନ୍ଦ୍ର ।ା
ଏଥରୁ ଦୋଳ, ଦମନକ, ଅକ୍ଷୟ ତୃତୀୟା, ସ୍ନାନ, ରଥ, ଶୟନ, ଦୁଇ ଅୟନ, ପାଶ୍ୱର୍ ପରିବର୍ତ୍ତନ, ଉତ୍‌୍‌ଥାନ, ପ୍ରାବରଣ ଓ ପୁଷ୍ୟା ପୂଜା ଇତ୍ୟାଦିର ଦ୍ୱାଦଶଯାତ୍ରା ସମ୍ପର୍କିତ ତଥ୍ୟ ମିଳେ ।
କବି ନରସିଂହ ଦାସଙ୍କ ପ୍ରଣୀତ ‘ଅଭିନବ ଜଗନ୍ନାଥ ପ୍ରସ୍ତାବ’ ଅନୁସାରେ ଗୁଣ୍ଡିଚା, ଝୁଲଣ, ଜନ୍ମାଷ୍ଟମୀ, ବିଜୟା ଦଶମୀ, କୁମାର ପୂର୍ଣ୍ଣିମା, ରାସୋତ୍ସବ, ମକର ଯାତ୍ରା, ଦୋଳଯାତ୍ରା, ରୁକ୍ମିଣୀ ଯାତ୍ରା, ରୁକ୍ମିଣୀ ବିବାହ, ଚନ୍ଦନ ଯାତ୍ରା ଓ ସ୍ନାନଯାତ୍ରା ଇତ୍ୟାଦି ଦ୍ୱାଦଶ ଯାତ୍ରାର ଉଲ୍ଲେଖ ଅଛି ।
ପାଞ୍ଜି ଅନୁସାରେ ବୈଶାଖର ଅକ୍ଷୟ ତୃତୀୟା, ଜ୍ୟେଷ୍ଠ ପୂର୍ଣ୍ଣିମାର ସ୍ନାନଯାତ୍ରା, ଆଷାଢ଼ର ଶୁକ୍ଲ ଦ୍ୱିତୀୟା ରଥଯାତ୍ରା, ଶ୍ରାବଣ କୃଷ୍ଣ ଦଶମୀରେ କର୍କଟ ସଂକ୍ରାନ୍ତି ଏବଂ ଏକାଦଶୀରେ ଶୟନ ଯାତ୍ରା, ଭାଦ୍ର ଶୁକ୍ଲ ଏକାଦଶୀରେ ପାଶ୍ୱର୍ ପରିବର୍ତ୍ତନ, କାର୍ତ୍ତିକ ଶୁକ୍ଲ ଏକାଦଶୀରେ ପୌଷ ଦେବତୋତ୍ ଥାପନ, ପୌଷ ଶୁକ୍ଲ ଷଷ୍ଠୀରେ ପ୍ରାବରଣ ଷଷ୍ଠୀ, ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ, ମାଘରେ ମକର ସଂକ୍ରାନ୍ତି,; ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଏବଂ ଚୈତ୍ର ଶୁକ୍ଲ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଦମନକୋତ୍ସବ (ଦୟଣା ଚାରି ବା ଦୟଣା ଲାଗି) ଇତ୍ୟାଦି ଦ୍ୱାଦଶ ଯାତ୍ରା ପାଳନର ବିଧି ଅଛି ।
ଉପରୋକ୍ତ ଆଲୋଚନାରୁ ନାନାମୁନି ନାନାମତ କଥାରେ ବ୍ୟତିକ୍ରମପରି କିଛିଟା ପାର୍ଥକ୍ୟ ଦେଖାଯାଏ । ତେବେ ବାରମାସ ଅନୁସାରେ ଦ୍ୱାଦଶ ଯାତ୍ରା କହିବାର ଅପ୍ରାସଙ୍ଗିକତା କିଛି ନାହିଁ ବୋଲ ଧରି ନିଆଯାଇପାରେ ।
ଏସବୁର ଉର୍ଦ୍ଧ୍ୱରେ ବାରମାସରେ ଶ୍ରୀକ୍ଷେତ୍ରରେ ତେର ଯାତ୍ରା ଦେଖାଯାଏ ବୋଲି କୁହାଯାଏ । ଏନେଇ ଭକ୍ତ କବି ବନମାଳୀ ଦାସ ଗାଇଥିଲେ; ବାରମାସେ ତେର ଯାତ୍ରା ଦେଖୁଥିବି, ଶ୍ରୀକ୍ଷେତ୍ର ହୋଇ ଭିକାରି, ସାଧୁ ସନ୍ଥଙ୍କର ହୋଇ କିଙ୍କର ମାଗୁଥିବି ମାଧୁକରି…. । ଦୀନବନ୍ଧୁ … ଶ୍ରୀ ଛାମୁରେ ।.
ଏହି ତେର ଯାତ୍ରାଟି କ’ଣ? ଏହା ପୁଣି ଲୋକ ମୁଖରେ ପ୍ରିୟ-ବିଦିତ ।
ତେବେ ଆଦୃତମତେ ଏଗୁଡ଼ିକ ହେଲା : ଚନ୍ଦନଯାତ୍ରା, ସ୍ନାନ ପୂର୍ଣ୍ଣିମା, ନେତ୍ରଉତ୍ସବ, ଚିତ୍ତାଲାଗି ଅମାବାସ୍ୟା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ ଓ କାଳୀୟ ଦଳନ, ଦଶହରା ଓ ଦୁର୍ଗାପୂଜା, ରାହାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଦୋଳଯାତ୍ରା, ମକର ସଂକ୍ରାନ୍ତି ଓ ଶ୍ରୀ ପଞ୍ଚମୀ ଏବଂ ନବାହ୍ନ ଓ ଧନୁ ସଂକ୍ରାନ୍ତି ।
ବର୍ଷସାରା ଶ୍ରୀ ମନ୍ଦିରରେ ଯାତ୍ରା ଉତ୍ସବ ଲାଗିରହିଛି । ଏ ଯାତ୍ରାଗୁଡ଼ିକ ମାଧ୍ୟମରେ ଓଡ଼ିଆ ଜାତିର ସଂସ୍କୃତିର ପରମ୍ପରା ଓ ଜୀବନ ବୈଚିତ୍ର‌୍ୟର ପ୍ରତିଟିଛବି ରୂପାୟିତ ହୁଏ ଏବଂ ଭାରତୀୟ ଶିଳ୍ପ, କଳା ଓ ସାହିତ୍ୟକୁ ଏହା ପ୍ରତିନିଧିତ୍ୱ କରେ । ଜଗନ୍ନାଥ ହିଁ ବିଶ୍ୱ ମୈତ୍ରୀ, ଏକତା, ମାନବବାଦ ଏବଂ ସର୍ବୋପରି ବସୁଧୈବ କୁଟୁମ୍ବକମ୍‌ର ପ୍ରତୀକ ।
ନୀଳାଚଳ ନିବାସାୟ ସକଳାୟ କଳାତ୍ମନେ
ନୀଳାଦ୍ରିବର ମେଘାୟ ଜଗନ୍ନାଥାୟ ତେ ନମଃ ।ା

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ