ବାରମ୍ବାର ଅଭିଯୋଗ ପରେବି ଅସହାୟା ମହିଳାଙ୍କ ଘର ସମ୍ମୁଖରୁ ବିଦ୍ୟୁତ ଖୁଂଟ ହଟୁନି
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ସେସୁ,ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେବି ଜଣେ ବିଧବା,ବୟଷ୍କା,ଅସହାୟା ମହିଳା ସରକାରଙ୍କ ଆବାସ ଯୋଜନାରେ ପାଇଥିବା ଘର ସମ୍ମୁଖରୁ ବିଦ୍ୟୁତ ଖୁଂଟଟି ହଟୁନାହିଁ । ଫଳରେ ସଂପୃକ୍ତ ମହିଳା ଘରୁ ପଦାକୁ ବାହାରିବାରେ ଗୁରୁତର ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏତଦ ବ୍ୟତିତ ବିଦ୍ୟୁତ ଆଘାତ ଲାଗିବାର ମଧ୍ୟ ସମ୍ଭାବନା ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ସହରର ମହିପାଳ ଗ୍ରାମର ସୂର୍ଗତ ଅଲ୍ଲୀ ଖାଁଙ୍କ ୬୫ବର୍ଷର ଅସହାୟା ବିଧବା ପତ୍ନୀ ହସିନା ବିବି ସରକାରଙ୍କ ଆବାସ ଯୋଜନାରେ କାର୍ୟ୍ୟାଦେଶ ପାଇ ଏକ ଗୃହ ନିର୍ମାଣ କରି ରହୁଥିଲେ । ସେହି ଘର ସମ୍ମୁଖରେ ଏକ ବିଦ୍ୟୁତ ଖୁଂଟ ଥିଲା । ଗତ ଫନି ବାତ୍ୟାରେ ସେହି ଖୁଂଟଟି ଉପୁଡି ପଡି ତାଙ୍କ ପାଇଖିନା ଉାପରେ ପଡିଯାଇଥିଲା । ଫଳରେ ସେ ଘରୁ ପଦାକୁ ବାହାରିବା ଓ ପାଇଖିନାକୁ ଯିବାରେ ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଥିଲେ । ଏ ସମ୍ପର୍କରେ ସେ ସେସୁ କତ୍ତୃପକ୍ଷ,ତହସିଲଦାରଙ୍କୁ ବାରମ୍ବାର ନିବେଦନକରି ଅସଫଳ ହେବାପରେ ଶେଷରେ ଜିଲ୍ଲାପାଳଙ୍କୁ ନିବେଦନ କରିବା ପରେ କେନ୍ଦ୍ରାପଡା ତହସିଲ ଓ ସେସୁ ଅଧିକାରୀମାନେ ମିଳିତ ତଦନ୍ତ କରିଥିଲେ କିନ୍ତୁ ସେହି ସମସ୍ୟାର ସମାଧାନ ଅଦ୍ୟାବଧି ହୋଇନଥିବାରୁ ସଂପୃକ୍ତ ଅସହାୟା ବୟଷ୍କା ମହିଳା ଜଣଙ୍କ ପୁନର୍ବାର ଜିଲ୍ଲାପାଳଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ନିବେଦନ କରିଥିବା ଜଣାପଡିଛି ।