ବାରୋ ପଂଚାୟତରେ ଅନାସ୍ତା ପ୍ରସ୍ତାବ ଭୋଟ ଅବାଧ, ନିରପେକ୍ଷ ଗଣତାନ୍ତ୍ରିକ ପଦ୍ଧତିରେ କରାଯିବାକୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ୧୬ଜଣ ୱାର୍ଡ ସଭ୍ୟସଭ୍ୟାମାନେ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଯେ ସେମାନେ ବାରୋ ପଂଚାୟତରେ ହୋଇଥିବା ଆଖିବୁଜା ଦୁର୍ନିତୀ, ପ୍ରୀୟାପ୍ରିତି ତୋଷଣ ଓ ବେଆଇନ ତଥା ଅଗଣତାନ୍ତ୍ରିକ କାର୍ଯ୍ୟର ପ୍ରତିବାଦରେ ସରପଂଚଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଗତ କରିଥିଲେ । ସମସ୍ତଙ୍କ ସ୍ୱାକ୍ଷର ଯାଂଚ କରାଯିବା ପରେ ଆସନ୍ତା ୨୪ତାରିଖରେ ଅନାସ୍ତା ପ୍ରସ୍ତାବ ଭୋଟ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଜନ ସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାରତୀୟ ସମ୍ବିଧାନ ଅନୁସାରେ ସମସ୍ତେ ନିଜ ନିଜର ବ୍ୟକ୍ତିଗତ ମତ ସ୍ପଷ୍ଟ ଭାବରେ ରଖିପାରିବେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି ଅନାସ୍ତା ଭୋଟ ସରପଂଚଙ୍କ ବିରୋଧରେ ଯିବାର ଆଶଙ୍କା କରି ତଥା ହୀନ ରାଜନୈତିକ ଆକ୍ରୋଶ ମନୋଭାବ ନେଇ ବ୍ଲକ ପ୍ରଶାସନ ତଥା ପୋଲିସ ସଂପୂର୍ଣ୍ଣ ତତ୍ପର ହୋଇ ଗାଁ ଗାଁରେ ରାତି ଅଧରେ ପି.ସି.ଆର.ଭ୍ୟାନ ବୁଲାଇ ନାଏବ ସରପଂଚ, ୱାର୍ଡସଭ୍ୟ ଏବଂ ଅନାସ୍ତା ପ୍ରସ୍ତାବର ନେତୃତ୍ୱ ନେଉଥିବା ୨ଜଣ ବ୍ୟକ୍ତି ବିଶେଷ ପ୍ରଭୃତିଙ୍କୁ ଏଥିରୁ ନିବୃତ୍ତ ହେବାକୁ ଧମକ,ଚମକ ଦେଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଭୋଟ ସମୟରେ ସରପଂଚଙ୍କ ବିରୋଧରେ ଯାଇଥିବା ବାଲାଟକୁ ଲୁଚାଇ ଅଗଣତାନ୍ତ୍ରିକ ପଦ୍ଧତିରେ ତାଙ୍କ ସପକ୍ଷରେ ଭୋଟ ଦିଆଯାଇ ସରପଂଚଙ୍କୁ ଅନାସ୍ତା ପ୍ରସ୍ତାବରେ ଜିତାଇବାକୁ ଏକ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଚଳିତମାସ ୬ତାରିଖରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଗଣତନ୍ତ୍ରର କଣ୍ଠରୋଧ କରି ସ୍ପଷ୍ଠ ଦିବାଲୋକରେ ଯେପରି ଭାବେ ଗଣତନ୍ତ୍ରକୁ ହତ୍ୟା କରାଗଲା ଠିକ ସେହିପରି ଭାବରେ ସେମାନଙ୍କର ଆଉ ବ୍ଲକ ପ୍ରଶାସନ ଉପରେ ଭରସା ଓ ବିଶ୍ୱାସ ପାଉନାହିଁ । ତେଣୁ ଏହି ଅନାସ୍ତା ପ୍ରସ୍ତାବ ଭୋଟକୁ ଅବାଧ, ନିରପେକ୍ଷ ଓ ଗଣତାନ୍ତ୍ରିକ ଭାବରେ ପରିଚାଳନା କରିବାକୁ ହେଲେ ଉପଜିଲ୍ଲାପାଳ ନିଜେ ଦାୟୀତ୍ୱରେ ରହି ଏହି ନିର୍ବାଚନ ପରିଚାଳନ କରିବାକୁ ସେମାନେ ଉପଜିଲ୍ଲାପାଳଙ୍କୁ ଭେଟି ଦାବୀ କରିଛନ୍ତି । ଏଥିସହିତ ସୁଦକ୍ଷ, କର୍ତ୍ତବ୍ୟରତ, ଶୃଙ୍ଖଳିତ ପୋଲିସ ଅଧିକାରୀମାନଙ୍କୁ ଦାୟୀତ୍ୱରେ ରଖାଯିବାକୁ ମଧ୍ୟ ବସନ୍ତ ନାୟକ, ଉମେଶ ଚନ୍ଦ୍ର ପରିଡା, ଗୋବର୍ଦ୍ଧନ ଦାସ, ମାନସ ପରିଡା, ରାଜକିଶୋର ନାୟକ, ପ୍ରବିର କୁମାର ମଳିକ, ସ୍ନେହଲତା ପାଳ,ରୁକ୍ମଣୀ ପରିଡା, ମୀନତୀ ପରିଡା, ଶୁକାନ୍ତି ଦାସ, ରଶ୍ମିତା ମଳିକ , ନକୁଳ ମଳିକ, ସଂଯୁକ୍ତା ବିଶ୍ୱାଳ, ଲିତା ସେଠୀ, ମମତା ସାମଲ,ବିଦୁଲତା ସେଠୀ ପ୍ରମୁଖ ୱାର୍ଡ ସଭ୍ୟସଭ୍ୟାମାନେ ନିବେଦନ କରିଛନ୍ତି ।