ବାଲିଅନ୍ତା ତହସିଲଦାର ଗିରଫ
ଭୁବନେଶ୍ୱର: ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଗିରଫ କରାଯାଇଛି । ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦୁହିଁଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଗିରଫ କରିଛି । ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁହିଁକୁ ଗିରଫ କରାଯାଇଛି । ଜମିଜମା ମାମଲା ପାଇଁ ଡାଟା ଏଣ୍ଟ୍ରି ଅପରେଟର ଟଙ୍କା ନେଉଥିଲେ । ତେବେ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କ ପାଇଁ ଲାଞ୍ଚ ନେଉଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଭିଜିଲାନ୍ସ ଟିମ ଉଭୟଙ୍କୁ ଗିରଫ କରିଛି । ଏକ ଜମିର କିସମ ବଦଳାଇବା ଲାଗି ତହସିଲଦାର ରଶ୍ମୀରେଖା ପ୍ରଧାନ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ଜରିଆରେ ଜଣେ ବିଲଡରଙ୍କଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଏନେଇ ତହସିଲଦାର ରଶ୍ମୀରେଖା ପ୍ରଧାନ କହିଛନ୍ତି ଯେ, ମୁଁ ଏ ବିଷୟରେ କିଛି ଜାଣିନାହିଁ । ସେ ଲୋକ କିଏ ମୁଁ ବି ତାକୁ ଚିହ୍ନିନି । କିଏ କଣ ବଦମାସୀ କରିଥିବେ ବୋଲି ସେ କହିଛନ୍ତି ।