ବାଲିଗୁଡାରେ ପରଦା ଢଙ୍କା ପାର୍ବଣ; ମଣ୍ଡପ ଖାଲି, ବଜାରରେ ଭିଡ଼

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଳଭୂମିରେ ଏବେ ପାର୍ବଣର ମାହୋଲ। କରୋନା କଟକଣା ଭିତରେ ଟାଉନର ଶ୍ରୀଶ୍ରୀଶ୍ରୀ ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗରେ ଶାରଦୀୟ ଦୁର୍ଗାପୂଜା ସପ୍ତମୀ ଦିନ ଠାରୁ ଆରମ୍ଭ ହୋଇଯାଇଛି। ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମଣ୍ଡପ। ଏସବୁ କିନ୍ତୁ କେବଳ ମଣ୍ଡପରେ ସୀମିତ ରହିଛି। କରୋନା ପାଇଁ ଏଥର ମା’ଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ରଖିବା ଲାଗି ପ୍ରୟାସ କରାଯାଇଛି। କେବଳ ବିଧିରକ୍ଷା ମୁତାବକ ପୂଜା ମଣ୍ଡପ ଗୁଡ଼ିକରେ ପୂଜାର୍ଚ୍ଚନା କରାଯିବା ପାଇଁ ଯଦିଓ ପ୍ରଶାସନ ରାଜି ହୋଇଛି ତଥାପି ଦେଶର ଅନ୍ୟ ରାଜ୍ୟ ଗୁଡ଼ିକର ପୂଜା ପାର୍ବଣ ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ମଣ୍ଡପ ଖାଁ ଖାଁ, କେବଳ ସୀମିତ ସଂଖ୍ୟକ ପୂଜକଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା ମଣ୍ଡପ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲେ ହେଁ ରାସ୍ତା ଘାଟରେ ହୋଇଥିବା ପୂଜା ମଣ୍ଡପ ଗୁଡ଼ିକ ସମ୍ମୁଖରେ ପୂର୍ବବର୍ଷ ଗୁଡ଼ିକ ଭଳି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ। ତେବେ ପାର୍ବଣର ମାହୋଲ କିନ୍ତୁ ବାରି ହେଉଛି। ସଞ୍ଜ ନଇଁବା ପରେ ବଜାର ଘାଟରେ ଲୋକଙ୍କ ଭିଡ଼ ବଢ଼ୁଛି, ଦିନସାରା ବିଭିନ୍ନ ଦୋକାନ ବଜାରରେ ଗ୍ରାହକଙ୍କ ଭିଡ଼ ଲାଗି ରହୁଛି। ତେବେ ଯେଉଁ ଗ୍ରାହକ ବଡ଼ ବଡ଼ ଜିନିଷ କିଣିବା ପାଇଁ ପୂଜା ବଜାରକୁ ଯାଆନ୍ତି ସେମାନେ ଚଳିତବର୍ଷ ଘରୁ ଗୋଡ଼ କାଢ଼ିବାକୁ ନାରାଜ। ଅନେକ ସଚେତନ ନାଗରିକ ଘରେ ରହି ଅନଲାଇନ କାରବାରକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଯୁବପିଢ଼ି ବଜାରଘାଟରେ ଭିଡ଼ ଜମାଉଥିଲେ ହେଁ ଦୋକାନରେ ବୁଲିବାର ମଜା ନେଇ ଅନଲାଇନରେ ଜିନିଷ ମଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। କନ୍ଧମାଳ  ଜିଲାର ଫୁଲବାଣୀ , ଓ ବାଲିଗୁଡ଼ା ଦୁଇ ସହର ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଲୋକଙ୍କ ଭିଡ଼ ପୁଣି ଜିଲାରେ ସଂକ୍ରମଣକୁ ବହୁ ମାତ୍ରାରେ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି। ଆଜି ଆମେ ବାଲିଗୁଡାର କିଛି ଦୋକାନକୁ ପରୀକ୍ଷାମୂଳକ ଭାବେ ଯାଇଥିବାବେଳେ ଅଧିକାଂଶ ବଡ଼ ବଡ଼ ଦୋକାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ନିୟମକୁ ଦୋକାନ ବାହାରେ ଫିଙ୍ଗିଦିଆଯାଉଥିବା ଦେଖିବାକୁ ମିଳିଥିଲା। ମାତ୍ର କିଛି ପ୍ରତିଷ୍ଠିତ ଦୋକାନରେ ବିଶୋଧନକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ କୌଣସି ଠାରେ କାହାରି ମଧ୍ୟ ନାକ ଉପରେ ମାସ୍କ ଦେଖିବାକୁ ମିଳି ନ ଥିଲା। ଅଧିକାଂଶଙ୍କ ଓଠ ତଳକୁ ମାସ୍କ ଥିବାବେଳେ ଅନେକ ପକେଟରେ ମାସ୍କ ରଖି ବୁଲୁଥିବା ଦେଖିବାକୁ ମିଳିଥିଲା। ବାଲିଗୁଡା  ବଜାରର ଏହି ଦୃଶ୍ୟ ଆଗାମୀ ଦିନରେ ଅଜଣା ବିପଦର କାରଣ ସାଜିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଏଭଳି ସମୟରେ ଜିଲା ପ୍ରଶାସନ ଘରେ ରହି ପାର୍ବଣର ମଜା ଉଠାଇବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଲୋକଙ୍କ ଅମାନିଆ ପଣ ହିଁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ ବୋଲି ଚର୍ଚ୍ଚା ହେଉଛି। ପରଦା ଢଙ୍କା ପାର୍ବଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଥିବାବେଳେ ସଚେତନ ଓ ଜାଗ୍ରତ ନ ହେଲେ କରୋନା ମହାମାରୀକୁ ରୋକିବା ମୁସ୍କିଲ ବୋଲି ମତପ୍ରକାଶ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ