ବାଲିତୃତୀୟା
ଭାଦ୍ରବ ଶୁକ୍ଲପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଉଥିବା ବ୍ରତକୁ ବାଲିତୃତୀୟା ବ୍ରତ କୁହାଯାଏ । ବିବାହିତା ସ୍ତ୍ରୀମାନେ ସ୍ୱାମୀର ସ୍ୱାସ୍ଥ୍ୟ, ପରମାୟୂ ଓ ମଙ୍ଗଳ କାମନାକରି ଏ ବ୍ରତ କରନ୍ତି । କେତେକ ସ୍ଥଳରେ ଅବିବାହିତ ଝିଅମାନେ ରୂପ, ଗୁଣ ଏବଂ ବିଭବଶାଳୀ ସ୍ୱାମୀଟିଏ ପାଇବାପାଇଁ ମଧ୍ୟ ଏବ୍ରତ କରିଥାଆନ୍ତି । ବାଲିତୃତୀୟା ବ୍ରତର ଅନ୍ୟନାମ ଗୌରୀବ୍ରତ । ଗୌରୀ ଯୁବାବସ୍ଥାରେ ଶିବଙ୍କୁ ପୂଜି ତାଙ୍କୁ ପ୍ରାପ୍ତି ହୋଇଥିବାରୁ ଯୁବା ଅବିବାହିତ ଝିଅମାନେ ଏବ୍ରତ ପାଳନ ସେହି କାରଣରୁ କରିଥାଆନ୍ତି । ଏ ବ୍ରତର ଆରାଧ୍ୟ ଦେବ-ଦେବୀ ହେଲେ ଶିବ-ପାର୍ବତୀ । ତେବେ ମୁଖ୍ୟ ହେଲେ ଶିବ । ଗୌରୀ ଏହି ଭାଦ୍ରବ ଶୁକ୍ଲ ତୃତୀୟା ଦିନ ଶିବଙ୍କୁ ପାଇବା ପାଇଁ ତପସ୍ୟା ଆରମ୍ଭ କରିଥିଲେ ଏବଂ ନଦୀରେ ସ୍ନାନପୂର୍ବକ ନଦୀ ବାଲିରେ ଶିବ ମୂର୍ତ୍ତି ବା ବାଲୁଙ୍କା ଗଢ଼ି ତାକୁ ପୂଜି ପାଇଥିବାରୁ ଏହି ତିଥିର ନାମ ବାଲି ତୃତୀୟା ରଖାଯାଇଛି । ଅତି ନିଷ୍ଠାର ସହ ବାଲିତୃତୀୟା ଦିନ ସୂର୍ଯ୍ୟୋଦୟ ଠାରୁ ତା’ ପରଦିନ ଅର୍ଥାତ୍ ଚତୁର୍ଥୀ ସକାଳ ଯାଏଁ, ଏ ବ୍ରତରେ ଉପାସ ରହିବାକୁ ହୁଏ । ଏମିତିକି ଜଳ ସ୍ପର୍ଶ ବା ଛେପ ଢ଼ୋକିବ ନାହିଁ । ସେଥିପାଇଁ ବ୍ରତୀମାନେ ଦ୍ୱିତୀୟା ଦିନ ରାତି ପାହାନ୍ତରୁ କିଛି ଖାଇ ନେଇ ଥାଆନ୍ତି ଯାହାକୁ କୁହାଯାଏ ପାହାନ୍ତିଆ ଖିଆ । ଦିନ ସାରା ଖାଡ଼ା ଉପାସ । ବିଶ୍ୱାସ ଯେ ବ୍ରତରେ ଏପଟ ସେପଟ କଲେ ମହାଦେବ ସଫଳ ପରିବର୍ତ୍ତେ କୁଫଳ ଦେବେ । କାରଣ ସେ ଆଶୁତୋଷ ହେଲେ ହେଁ ବେଳକୁ ରୁଦ୍ର । ବ୍ରତୀମାନେ ବାଲିତୃତୀୟା ଦିନ ସକାଳେ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନକରି ଦିନସାରା ନିର୍ଜଳା ଉପବାସ ପାଳନ କରନ୍ତି । ପୁଣିଥରେ ସଂଧ୍ୟାବେଳେ ମେଳ ହୋଇ ସ୍ନାନ କରନ୍ତି । ଏହି ସମୟରେ ସେମାନେ ପ୍ରତ୍ୟେକ ସାତମୁଠା ବାଲି ପାଣିରେ ବୁଡ଼ି ସଂଗ୍ରହ କରନ୍ତି । ସେଥିଳେ ଜଳାଶୟ କୂଳରେ ଶିବଲିଙ୍ଗ ବା ବାଲୁଙ୍କା ସ୍ଥାପି ପୂଜା କରନ୍ତି । ଘରକୁ ଫେରିଲା ବେଳେ ପୁଣି କିଛି ନଦୀ ବାଲି ଘରକୁ ଆଣିଥାଆନ୍ତି । ସେଥିରେ ଘରେ ପୁଣି ଶିବଲଙ୍ଗ ତିଆରି କରି ନାନା ପ୍ରକାର ଫଳ, ମୂଳ, ଖୀରୀ, ଚୂଡ଼ାଘସା ଓ କଦଳୀ ଇତ୍ୟାଦି ଦେଇ ଭୋଗ କରନ୍ତି । ଏ ଭୋଗ ସେମାନଙ୍କୁ ଖାଇବା ନିଷେଧ । ବିଶ୍ୱାସ ଯେ ଏବ୍ରତ କରି ଭୋଗ ଖାଇଲେ ନାନା ଦୁଃଖ କଷ୍ଟ ଭୋଗିବାକୁ ହୁଏ ଅଥବା ନାରୀଟିଏ ବେଧବ୍ୟ ଦଣ୍ଡରେ ଦଣ୍ଡିତ ହୁଏ । ପୂଜା ବା ବ୍ରତ ଅବକାଶେ ବାଲିତୃତୀୟା ବ୍ରତ ମହାତ୍ମା ପୁରାଣ ପଢ଼ାଯାଏ । ପୂଜାପରେ ବାଲୁଙ୍କାକୁ ବିସର୍ଜନ କରାଯାଏ । ଚତୁର୍ଥୀଦିନ ବ୍ରତ ଉଦ୍ଯାପନ କରାଯାଏ । ଆବଶ୍ୟକ ସ୍ଥଳେ ପୁରୋହିତମାନଙ୍କ ସାହାଯ୍ୟ ନିଆଯାଇପାରେ । ନାରୀଟିଏ ପାଇଁ ଏବ୍ରତ ଏକ ଶ୍ରେଷ୍ଠବ୍ରତ । ଏହି ବ୍ରତ ପତିଙ୍କ କାରଣକୁ ଥିବାରୁ ଏହାହିଁ ଶ୍ରେଷ୍ଠ । ଗୋଟିଏ ନାରୀ ପାଇଁ ପତିବିନା ନାହିଁ ଅନ୍ୟଗତି । ପୁନଶ୍ଚ ଏ ବ୍ରତରେ ଶିବଲୋକ ପ୍ରାପ୍ତିର ବିଶ୍ୱାସ ମଧ୍ୟ ଅଛି । ପୁରାଣ ବା ଧର୍ମଶାସ୍ତ୍ର ଅନୁଯାୟୀ ଏ ବ୍ରତର ମହାତ୍ମ୍ୟ ଯାହା ଥାଉ ନା’ କାହିଁକି, ଏହା ବିଜ୍ଞାନ ସମ୍ମତ । ସୁସ୍ଥ ଶରୀର ପାଇଁ ସାମୟିକ ଉପବାସର ଆବଶ୍ୟକତା ଅଛି ଯେମିତି ଏକାଦଶୀ । ସେମିତି ହଳଦୀ ଇତ୍ୟାଦି ଲଗାଇ ଗାଧୋଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରଦାୟକ । ଏହି କାରଣରୁ ଓଷା ଓ ବ୍ରତମାନଙ୍କର ଆମ ଜୀବନର ପ୍ରାଧାନ୍ୟ ଅଛି । ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮
ବିପିନ ବିହାରୀ ମହାନ୍ତି