ବାଲିବରେଇ ପଞ୍ଚାୟତରେ ୧୨ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ

ହାଟଡ଼ିହି, : କେନ୍ଦ୍ର ସରକାର ରେସନକାର୍ଡ ସହିତ ଆଧାର ଲିଙ୍କ ବାଧ୍ୟତା ମୁଳକ କରିବାପରେ ଏବେ ଆଧାର ସଂଯୋଗ କରିନଥିବା ହିତାଧିକାରୀ ମାନେ ଚଳିତ ମାସ ଠାରୁ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁନେଇ ସବୁ ପଞ୍ଚାୟତରେ ଅସନ୍ତୋଷ ଦେଖାଦେଇଥିବାବେଳେ ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ୧୬୬୨ ପରିବାର ଚାଉଳ ପାଇବାରୁ ବଞ୍ଚିତ ହୋଇଥିବାବେଳେ ହଦଗଡ ପଞ୍ଚାୟତରେ ୨୨ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଧାର ସଂଯୋଗ ପାଇଁ ସେମାନଙ୍କୁ ଜଣାଯାଇ ନଥିବା କିଛି ହିତାଧିକାରୀ କହୁଛନ୍ତି । ବାଲିବରେଇ ପଞ୍ଚାୟତର ଟୁନି ଜେନା କାର୍ଡ ନଂ ୧୮୦୭୦୫୧୦୩୧୮ ହୋଇଥିବାବେଳେ ସେ ନିୟମିତ ଚାଉଳ ପାଇ ଆସୁଥିଲେ । କିନ୍ତୁ ଚଳିତମାସ ଚାଉଳ ପାଇଁ ଗଲାବେଳକୁ ତାଙ୍କ ନାମ ନଥିବା ଜାଣିବାକୁ ପାଇବାପରେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ଆଧାର ସଂଯୋଗ କରିବାପାଇଁ ଆବେଦନ କରିଛନ୍ତି । ସେହିପରି ଲିପନ ଜେନା, ବୈଲୋଚନ ଜେନା, ଝରଣା ଜେନା, ରାଜେଶ ଜେନା, ପ୍ରେମାନନ୍ଦ କାଣ୍ଡି, ଯଶୋଦା କାଣ୍ଡି, ପୁଷ୍ଟାପା କାଣ୍ଡି, କୁନି ଜେନା, ମାଗୁଣି ଜେନା, ଶକୁନ୍ତଳା ଜେନା, ରାଜେଶ ଜେନା, କନକ ଜେନା, ଓମପ୍ରକାଶ ଜେନା, କାମିନୀ ଜେନା, ରଜକ ଜେନାଙ୍କ ଭଳି ଶତାଧିକ ହିତାଧିକାରୀ ଆଧାର ସଂଯୋଗ ପାଇଁ ଧାଡି ଲଗାଇଛନ୍ତି । ସେମାନଙ୍କ କହିବାକଥା ଯେ କେତେକ ହିତାଧିକାରୀ ପୁର୍ବରୁ ଆଧାର ସଂଯୋଗ ପାଇଁ ଦେଇଥିଲେବି ତାଙ୍କ ନାମକୁ ଆଧାର ସଂଯୋଗ କରାଯାଇ ନାହିଁଁ । ଏପରିକି ଅନେକ ବୃଦ୍ଧବୃଦ୍ଧାଙ୍କ ଅଙ୍ଗୁଳି ଛାପ ଆସୁ ନଥିବାରୁ ସେମାନେ ମଧ୍ୟ ବାଦ ପଡିଛନ୍ତି । ପୁର୍ବରୁ ଏହି ପଞ୍ଚାୟତର ୪୧ଜଣଙ୍କ ରେସନକାର୍ଡ ବ୍ଲକ ହୋଇଯାଇଥିବାବେଳେ ଚଳିତମାସ ୧୬୬୨ ହିତାଧିକାରୀ ବାଦ ପଡିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏମାନେ ଅତ୍ୟନ୍ତ ଗରିବ ଓ ଖଟିଖିଆ ହୋଇଥିବା ବେଳେ ଚଳିତମାସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଆଦିବାସୀ ଅଧ୍ୟୁଷିତ ହଦଗଡ ପଞ୍ଚାୟତରେ ସର୍ବାଧିକ ୨୨ଶହ ହିତାଧିକାରୀ ଆଧାର ସଂଯୋଗ କରିନଥିବାରୁ ଚଳିତମାସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ଆଧାର ସଂଯୋଗ ବାବଦରେ ଜାଣି ନଥିବାରୁ ଆଧାର ସଂଯୋଗ କରିପାରି ନାହାନ୍ତି ବୋଲି କହିଛନ୍ତି । ଅନ୍ୟ ପଟେ ୯୦ଭାଗ ଆଧାର ସଂଯୋଗ ସରିଛି ବୋଲି ଯୋଗାଣ ଅଧିକାରୀ ଶ୍ୟାମ ମାଝୀ କହିଛନ୍ତି । ଯେଉଁ ହିତାଧିକାରୀ ମାନେ ଏବେ ଆଧାର ସଂଯୋଗ କରିବେ ସେମାନେ ଆସନ୍ତା ମାସ ଠାରୁ ଚାଉଳ ପାଇବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ