ବାଲିଭଉଁରୀ-ଶିଖରଘାଟ ରାସ୍ତାରେ ଗର୍ତ ଦୁର୍ଘଟଣା ଘଟିବାର ଆଶଙ୍କା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ହେଉଛି ବାଲିଭଉଁରୀ-ଶିଖରଘାଟ ରାସ୍ତା । ଏହି ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଛି । ଏହି ରାସ୍ତା ଦେଇ ପ୍ରତ୍ୟେହ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡି ମଟର ଯିବା ଆସିବା କରିଥାଏ । ରାସ୍ତାଟି ବିଶେଷକରୀ ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସୁବିଧା ହେଉଥିବାରୁ ଉକ୍ତ ଜିଲ୍ଲାର ଜନସାଧାରଣ ଏହି ବାଟ ଦେଇ ପ୍ରାୟତଃ ଏହି ସବୁ ଜିଲାକୁ ଯିବା ଆସିବା କରିଥାନ୍ତି । ଯିବା ଆସିବା ପାଇଁ ରାସ୍ତାଟିର ବେଶ ଗୁରୁତ୍ୱ ରହିଥିବା ବେଳେ ବିଭାଗ ପକ୍ଷରୁ ଉକ୍ତ ରାସ୍ତାରେ ଥିବା ଖାଲକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏକ ମାସ ତଳେ ମରାମତି କରାଯାଇଥିଲା । କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ମାସକ ପରେ ପୁନର୍ବାର ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାର ମୁଣ୍ଡାଳୋ-ଖଇରା, ଦାନ୍ତୁଆଳ-ଘୋଡାଂଶ ଓ ବ୍ଳକଛକ-ନାଉଗାଁ ବଜାର ମଧ୍ୟରେ ଚାଷୀ ଜମିରୁ ଉଦ୍ଧବୃତ ଜଳ ନିଷ୍କାସନ ପାଇଁ କଲର୍ଭଟ ମାନ ନିର୍ମାଣ କରାଯାଇଛି । ମାତ୍ର ଏହି କଲର୍ଭଟର ହୋମ ପାଇପି ଗୁଡିକ ନଷ୍ଟ ହୋଇ ଯିବାରୁ ରାସ୍ତା ଦବି ଗର୍ତ ସୃଷ୍ଟି ହୋଇଛି । ରାସ୍ତାରେ ଉପରେ ଗର୍ତ ସୃଷ୍ଟି ହୋଇଥିବାରୁ ଭାରିଯାନ, ଯାତ୍ରୀବାହୀ ଯାନ ଯିବା ଆସିବା କରିବା ଫଳରେ ଉକ୍ତ ଗର୍ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯଦି କୌଣସି ଗାଡି ଚାଳକ ଅସାବଧାନତା ବଶତଃ ଏହି ଗର୍ତ ଉପରେ ଗାଡି ନିଅନ୍ତି, ତେବେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଉକ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ ଓ ଖାଲକୁ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ବଳରାମ ସ୍ୱାଇଁଙ୍କୁ ପଚାରିବାରେ- ଯଥା ଶୀଘ୍ର ସୃଷ୍ଟି ହୋଇଥିବା ଗର୍ତ ଓ ଖାଲ ହୋଇଥିବା ସ୍ଥାନ କାର୍ଯ୍ୟ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ