ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀକଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରୋଗୀ କଲ୍ୟାଣ ସମିତି ବୈଠକକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍‍ ସାଗରିକା ମିଶ୍ର ସଂଯୋଜନା କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲଗୋପାଳ ବେହେରା, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଧୁସୂଦନ ବାରିକ, ବିଧାୟକଙ୍କ ପ୍ରତିନିଧି ସଂଦୀପ କୁମାର ପାଢୀ ପ୍ରମୁଖ ମଂଚାସୀନ ଥିଲେ । ଆସିକା ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଂଜୁରୀପ୍ରାପ୍ତ ୧୨ ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୪ ଜଣ ଡାକ୍ତର ଓ ୬ ଜଣ ନର୍ସଙ୍କ ସ୍ଥାନରେ ୪ ଜଣ ନର୍ସ କାର୍ଯ୍ୟରତ ଥିବାରୁ ବିଭିନ୍ନ ସମୟରେ ରୋଗୀସେବା ବ୍ୟାହତ ହୋଇପଡୁଥିବା ଯୋଗୁଁ ଏହି ବୈଠକରେ ଗଭୀର ଉଦ୍‍ବେଗ ପ୍ରକାଶ ପାଇଥିଲା । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ବିଭିନ୍ନ ପଦପଦବୀ ପୂରଣ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ଉପରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମୀକୁ ସୁଦୃଢ କରିବା, ନିର୍ମାଣାଧୀନ ୩୦ ଶଯ୍ୟା ବିଶିଷ୍ଠ ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଉପରେ ଆଲୋଚନା ହୋଇଥିଲା । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କାର୍ଯ୍ୟ ପାଇଁ ଲଗାତର ତୃତୀୟ ଥର ପାଇଁ କାୟାକଳ୍ପ ପୁରସ୍କାର ପାଇଥିବାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ମଧୁସୂଦନ ବାରିକ, ବିପିଏମ୍‍ ସାଗରିକା ମିଶ୍ର, ବାଲାଜୀରାମ ସାହୁ, ଆୟୁଷ ଡାକ୍ତର ଏ.ଲକ୍ଷ୍ମୀ ଦେବୀ, ବିଏଏମ୍‍ ପୂର୍ଣ୍ଣଚନ୍ଦ୍ର ପାଢୀ, ବିଡିଏମ୍‍ ସରୋଜ ପାଢୀ, ପିଏଚ୍‍ଇଓ କୁବେର ପାତ୍ର, ନିର୍ମଳ ସୁପରଭାଇଜର ଅମିତ୍‍ କୁମାର ଦାଶଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏସ୍‍.ଶ୍ରୀନିବାସ ରାଓ, ଶିକ୍ଷକ ରାମନାଥ ପଟ୍ଟନାୟକ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଭଜରାମ ସ୍ୱାଇଁ, କରୁଣାକର ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ