ବାଲେଶ୍ୱରରେ ଜିଲାସ୍ତରୀୟ ନୂଆଖାଇ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି କ୍ରମେ ସମଗ୍ର ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ କରାଯାଉଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ଜିଲା ସଂସ୍କୃତି ବିଭାଗ ଓ ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଶନିବାର ଜିଲାସ୍ତରୀୟ ନୂଆଖାଇ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଅଧକ୍ଷତା କରିବା ସହିତ ନୂଆଖାଇ ପର୍ବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଭିତ୍ତିକ ଏହି ପର୍ବକୁ ସମଗ୍ର ରାଜ୍ୟରେ ସପ୍ତାହବ୍ୟାପୀ ପାଳନ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ନିଆଯାଇଥିବା ବେଳେ ଜିଲାବାସୀଙ୍କ ପାଇଁ ଏହା ନୂଆ ଅନୁଭୁତି ଆଣିବ ବୋଲି ସେ ପ୍ରକାଶ କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବଙ୍କୁ ସର୍ବବ୍ୟାପୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ପଶ୍ଚିମ ଓଡିଶାର ଏହି ମହାନ ସଂସ୍କୃତି ଓ ପରମ୍ପରା ପ୍ରତି ଓଡ଼ିଶାର ପ୍ରତ୍ୟେକ ଲୋକେ ଅନୁପ୍ରାଣିତ ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ସଦର ବିଡିଓ ନରେନ୍ଦ୍ର ଖମାରୀ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂଆଖାଇ ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ବ୍ୟାପୀ ଏହି ଉତ୍ସବ ପାଳନ ଦ୍ୱାରା ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରାର ବ୍ୟାପକ ପ୍ରଚାର ପ୍ରସାର ହେବାକୁ ଲାଗିଛି । ଏଥିରେ ଲୋକକଳାକୁ ଯୋଡ଼ିବା ଦ୍ୱାରା କଳାକାରମାନେ ପ୍ରୋତ୍ସାହିତ ହୋଇ ପାରିବେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ଏଥିରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଜିଲା କଳାକାର ସଂଘର ଉପ-ସଭାପତି ଚକ୍ରଧର ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଜିଲା ସଂସ୍କୃତି ପରିଷଦ ଓ କଳାକାର ସଂଘ ପକ୍ଷରୁ ସମ୍ବଲପୁରୀ, ଓଡିଶୀ ନୃତ୍ୟ ଏବଂ ପାଲା ପ୍ରଭୃତି ପରିବେଷଣ କରାଯାଇଥିଲା ।