ବରିଷ୍ଠ ନାଗରିକଙ୍କ ସେବାରେ ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲାର ବରିଷ୍ଠ ନାଗରିକଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପରାମର୍ଶ ଏବଂ ‘ପ୍ରୟାସ’ ସ୍ୱେଚ୍ଛାସବେୀ ସଂଗଠନ ପକ୍ଷରୁ ଏକ ଭ୍ରାମ୍ୟମାଣ ଚିକିତ୍ସା ଶୁଭାରମ୍ଭ ହୋଇଛି । ଜିଲାପାଳ ଦତ୍ତାତ୍ରୟ ଭାଓସାହେବ ଶିନ୍ଦେ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ, ‘ପ୍ରୟାସ’ ସଂଗଠନର ମୁଖ୍ୟ ଜୀବନ ରଂଜନ ମଲିକଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଗୋପୀନାଥ ଦାସ, କମଳାକାନ୍ତ ବେହେରା, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ସୀତାରାମ ପ୍ରଧାନ, ଦାମୋଦର ନାୟକ, ଯଶୋଦା ନନ୍ଦନ ଆଶ୍, କୃଷ୍ଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଦ୍ୱାରା ଜିଲାର ଗ୍ରାମାଞ୍ଚଳରେ ରୋଗ ପୀଡ଼ିତ ତଥା ଶଯ୍ୟାଶାୟୀ ବରିଷ୍ଠ ନାଗରିକମାନଙ୍କ ଆଶୁ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜିଲାପାଳ ଆଶା ପ୍ରକାଶ କରିଥିଲେ । ଏହି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରରେ ଡାକ୍ତର, କମ୍ପାଉଣ୍ଡର ଓ ସେବିକା ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି ।


