ବାଲେଶ୍ୱରରେ ଜିଲ୍ଲାସ୍ତରରୀୟ ୭୩ତମ ସାଧାରଣତନ୍ତ୍ର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସହରର ରିଜର୍ଭ ପୁଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ରାଜ୍ୟ ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଉତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଦେଶକୁ ସ୍ୱାଧୀନତା ଆଣିବାରେ ତ୍ୟାଗ ଓ ବଳିଦାନ ଦେଇଥିବା ଭାରତବର୍ଷର ମହାମନୀଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ମୁଖ୍ୟଅତିଥି ଶ୍ରୀ ପଣ୍ଡା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବାଲେଶ୍ୱରର ବୀରପୁତ୍ରଙ୍କ ଅବଦାନକୁ ମନେ ପକାଇଥିଲେ । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଏବଂ ଭାରତଛାଡ ଆନ୍ଦୋଳନ ପ୍ରତିଟି କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଆଗରେ ଥିଲା ବୋଲି ସେ କହିଥିଲେ । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବାଲେଶ୍ୱର ଜିଲ୍ଲାବାସୀ ପ୍ରଦର୍ଶନ କରିଥିବା ଅସୀମ ଧୈର୍ଯ୍ୟ, ଅନନ୍ୟ ସହନଶୀଳତା ଆଜି ଇତିହାସର ବିଷୟବସ୍ତୁ ହୋଇଛି । ସ୍ୱାଧୀନତା ପରେ ଦେଶୀୟ ରାଜ୍ୟ ମିଶ୍ରଣରେ ତତ୍କାଳୀନ ଗଡ଼ଜାତ ନୀଳଗିରିବାସୀଙ୍କ ମହାନତା ସ୍ମରଣୀୟ ହୋଇଥିବା ବେଳେ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବାଲେଶ୍ୱର ମାଟିର ମହତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ୧୯୪୭ ମସିହାରେ ଆମେ ସ୍ୱାଧୀନତା ପାଇଥିଲେ ମଧ୍ୟ ସମ୍ବିଧାନ କାର୍ଯ୍ୟକାରୀ ପରେ ଆମକୁ ପୂର୍ଣ୍ଣ ସ୍ୱାଧୀନତା ମିଳିଥିଲା ବୋଲି ସେ କହିଥିଲେ । ଏହାର ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ଆମେ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଆସୁଛୁ । ଭାରତୀୟ ସମ୍ବିଧାନର ସଙ୍ଘୀୟ ଶାସନ ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି । ଦେଶର ଅଖଣ୍ଡତା, ସାର୍ବଭୌମତା ଓ ବିବିଧତା ମଧ୍ୟରେ ଏକତା ଆଣି ବିଶ୍ୱର ଏହା ବୃହତ ସମ୍ବିଧାନ ହୋଇ ପାରିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ବକ୍ତବ୍ୟରେ କହିଥିଲେ । ଆଜିର ଏହି ପବିତ୍ର ଦିବସରେ ମାଟି, ମାଆ ଓ ମାତୃଭୂମି ପ୍ରତି ଥିବା ସମ୍ମାନ ଜଣାଇ ରଷ୍ଟ୍ରର ହିତରେ ନିଜକୁ ସାମିଲ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟଅତିଥିଙ୍କ ସହ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ । କରୋନା ପାଇଁ ଉତ୍ସବରେ ସାମୂହିକ ପ୍ୟାରେଡ଼ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ବେଳେ କେବଳ ରିଜର୍ଭ ପୁଲିସର ଦୁଇଗୋଟି ଗ୍ରୁପ ଓ ବ୍ୟାଣ୍ଡ ଟ୍ର୍ରୁପଙ୍କ ଉପସ୍ଥିତିରେ ସର୍ଜେଣ୍ଟ ପ୍ରବୀର କୁମାର କଅଁର ରାଷ୍ଟ୍ରୀୟ ସାଲ୍ୟୁଟ୍‌ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସେକେଣ୍ଡ-ଇନ-କମାଣ୍ଡ ରାଜୀବ କୁମାର ମାର୍ଣ୍ଡି ତାଙ୍କୁ ସହଯୋଗ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ପେଣ୍ଡେଲ ତଳକୁ ଆସି ଉପସ୍ଥିତ କରୋନା ଯୋଦ୍ଧାଙ୍କ ସହ ସେମାନଙ୍କ ଅନୁଭୂତି ସମ୍ପର୍କରେ କିଛିସମୟ ଭାବବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଜାତୀୟ ଉତ୍ସବରେ ଯୋଗ ଦେଇଥିଲେ । । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ଏହି ଉତ୍ସବରେ ସଂଯୋଜନା କରିଥିବା ବେଳେ ପୁରୁଷୋତ୍ତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଉତ୍ସବକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ