ବାଲେଶ୍ୱରରେ ପ୍ରଭାବ ଶୂନ୍ୟ ଦ୍ୱିତୀୟ ଦିନ ବନ୍ଦ

ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଚାଲିଥିବା ଦୁଇଦିନିଆ ହରତାଳ ଓ ଭାରତବନ୍ଦ ବାଲେଶ୍ୱରରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ତେବେ ଗତକାଲି ଭଳି ଦ୍ୱିତୀୟ ଦିନରେ ଅର୍ଥାତ ମଙ୍ଗବାର ଏହି ବନ୍ଦ ପାଳନ ଜନ ଜୀବ ନଯାତ୍ରାରେ ବିଶେଷ ପ୍ରଭାବ ପକାଇ ନଥିବା ଲକ୍ଷ୍ୟ କରାଯାଇଥିଲା । ବାଲେଶ୍ୱରର ଶ୍ରମିକ ସଂଘ ସମନ୍ୱୟ ସମିତି (ଟିୟୁଏସିସି) ଦ୍ୱିତୀୟ ଦିନରେ ଆଜି ରେଳରୋକ ନିଷ୍ପତ୍ତିରୁ ଓହରି ଯିବାରୁ ରେଳ ଚଳାଚଳ ସ୍ୱାଭାବିକ ଥିଲା । ମାତ୍ର ଆନ୍ଦୋଳନକାରୀମାନେ ସକାଳେ ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଦିନରେ ବି ବାଲେଶ୍ୱରରେ କୌଣସି ବସ ଚଳାଚଳ କରିନାହିଁ । କାଁ ଭାଁ ରିକ୍ସା ଓ ଅଟୋ ରିକ୍ସାକୁ ଛାଡ଼ିଦେଲେ ଟ୍ରକ ଟ୍ରେକର ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ତେବେ ସହରରେ ସମସ୍ତ ଜାତୀୟକରଣ ବ୍ୟାଙ୍କ, ଜୀବନବୀମା, ଡାକ, ବିଏସ୍‌ଏନ୍‌ଏଲ୍‌, ପୌର କାର୍ଯ୍ୟାଳୟ, ଟାଟା ପାୱାରର ସମସ୍ତ ଅଫିସ ବନ୍ଦ ଥିଲା । ଯାନବାହନ ଚଳାଚଳ ବନ୍ଦ ରହିବା ଯୋଗୁଁ ସରକାରୀ ଦପ୍ତରମାନଙ୍କରେ କର୍ମଚାରୀଙ୍କ ଉପସ୍ଥାନ ମଧ୍ୟ ବେଶ କମ ଥିଲା । ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ସମେତ ସରକାରୀ ଅଫିସ୍‌ଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ ସହ ସେଗୁଡ଼ିକ ବନ୍ଦ କରାଇଥିଲେ । ତେବେ ଆନ୍ଦୋଳନକାରୀଙ୍କ ପିକେଟିଂ ସତ୍ତ୍ୱେ ପୁଲିସର କଡ଼ନ ମଧ୍ୟରେ ଜିଲା ଓ ଦୌରା ଜଜଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଓ ବିଚାରବିଭାଗୀୟ କର୍ମଚାରୀମାନେ କୋର୍ଟ ମଧ୍ୟକୁ ପ୍ରବେଶ କରିଥିଲେ । ଦ୍ୱିତୀୟ ଦିନରେ ବନ୍ଦ ପାଳନ ପ୍ରଭାବଶୂନ୍ୟ ଥିବା ବେଳେ ସହରର ଅଧିକାଂଶ ଅଞ୍ଚଳରେ ଦୋକାନ ବଜାର, ପେଟ୍ରୋଲ ପମ୍ପ, ହୋଟେଲ ତଥା ଅତ୍ୟାବଶ୍ୟକ ସାମଗ୍ରୀ ସମ୍ବଳିତ ଦୋକାନଗୁଡ଼ିକ ଖୋଲା ଥିବା ଲକ୍ଷ୍ୟ କରାଯାଇଥିଲା । ଦ୍ୱିତୀୟ ଦିନର ବନ୍ଦ ପାଳନରେ ମିଳିତ ମଞ୍ଚର ଆବାହକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନଙ୍କ ପକ୍ଷରୁ ଜୟନ୍ତ ଦାସ, ନିର୍ମଳ ନାୟକ, ଅସିତ ବରଣ ଦାସ, ସୁରେଶ ଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଜେନା, ଯଶୋଦା ନନ୍ଦନ ଆସ୍‌, ପ୍ରଦୀପ ବେହେରା, ରବୀନ୍ଦ୍ର ବେହେରା, ଭରତଚନ୍ଦ୍ର ସେଠୀ, ପ୍ରଶାନ୍ତ ଦାସ, ଉମାକାନ୍ତ ଦାସ, ଈଷାଣୀ ଷଡ଼ଙ୍ଗୀ, ସବିତା ସିଂ, ବଂଶୀଧର ବେହେରା, କୈଳାସ ନାୟକ, ନନ୍ଦ ରାୟ ଚୌଧୁରୀ, ବନ୍ଦନା ପାତ୍ର, ଆବିଦ୍ ଖାଁ, ଟିପିରି ସିଂ, ଜୟନ୍ତୀ ଦାସ, ସହଦେବ ମହାନ୍ତି, ମନୋଜ ରାଠୋର, ଶରତ ଦଳାଇ, ଶଶିକାନ୍ତ ବେହେରା, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ହେମନ୍ତ ଭୂୟାଁ, ପ୍ରକାଶ ଦାସ, ରସାନନ୍ଦ ଦାସ, ସଂଜୟ ପରିଡ଼ା, ହରିହର ରାଉତ, ଗୋବିନ୍ଦ ଦାସ, ଚନ୍ଦନ ଘୋଷ, ପ୍ରଦୀପ ସାମନ୍ତ, ରାଜେଶ ସାହୁ, ସୁଦର୍ଶନ ଜେନା ଓ ଯତୀନ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଗତକାଲି ଭଳି ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ ସାଙ୍ଗକୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ