ବାଲେଶ୍ୱର ଫଟୋଗ୍ରାଫର ସଂଘର ରୌପ୍ୟଜୟନ୍ତୀ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଫଟୋଗ୍ରାଫର ସଂଘର ରୌପ୍ୟଜୟନ୍ତୀ ଉତ୍ସବ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ସମୟର ସ୍ମୃତିକୁ ଫଟୋ ମାଧ୍ୟମରେ ସାଇତି ରଖିବା କଳା ଫଟୋଗ୍ରାଫରଙ୍କ ଠାରୁ ଅଧିକ କେହି ଜାଣଇନପାରେ । ସମ୍ପ୍ରତି ଅଣ୍ଡ୍ରୋଏଡ ମୋବାଇଲର ବହୁଳ ବ୍ୟବହାର ସତ୍ୱେ କ୍ୟାମେରା ଫଟୋ ତା’ର ଅସ୍ତିତ୍ୱ ହରାଇ ନାହିଁ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ପ୍ରତିଭାଶ୍ରୀ ମୁଖ୍ୟ କବି ପ୍ରଶାନ୍ତ ଦାସ, ଜାତୀୟ ସ୍ତରର ଖ୍ୟାତନାମା ଫଟୋଗ୍ରାଫର ରାଜୁ ସୁଲତାନିଆ, ଓଡ଼ିଶା ଫଟୋଗ୍ରାଫି ମହାସଂଘର ଉପଦେଷ୍ଟା ଶିଶିର କୁମାର ନାୟକ, ଚଳଚିତ୍ର ନିର୍ଦ୍ଦେଶକ ସଂଜୀବ ଦ୍ୱିବେଦୀ ପ୍ରମୁଖ ଏଥିରେ ଯୋଗଦେଇ ଫଟୋଗ୍ରାଫର ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଫଟୋଗ୍ରାଫି କଳାକୁ ଉଦଜୀବିତ ରଖିବା ସାଙ୍ଗକୁ ଫଟୋ ମାଧ୍ୟମରେ ଜନସାଧାରଣଙ୍କୁ ଖୁସୀର ବାର୍ତ୍ତା ବାଣ୍ଟିବା ଭଳି ମହତ କାର୍ଯ୍ୟ କେବଳ ଫଟୋଗ୍ରାଫରମାନେ କରି ପାରନ୍ତି ବୋଲି ଅତିଥି ମାନେ କହିଥିଲେ । ବିିଶେଷ କରି ଫଟୋ ସହ ଜଡ଼ିତ ଆବେଗ ପରବର୍ତ୍ତୀ ସମୟରେ ସ୍ୃତି ହେଲେ ମଧ୍ୟ ଏହା ସର୍ବଦା ସମସ୍ତଙ୍କୁ ଖୁସୀ ଦେଇଥାଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସଂଗଠନର ସଭାପତି ମାନସ କୁମାର ପାଲ ଏଥିରେ ସଭାପତିତ୍ୱ କରିବା ସହିତ ଫଟୋଗ୍ରାଫର ସଂଘ ଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସମପାଦକ ଅମରଜିତ ଦାସ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି ନିରଂଜନ ରାଉଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ପଟେଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅସରରେ ଜିଲାର ବରିଷ୍ଠ ଫଟୋଗ୍ରାଫରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଅନଲାଇନ ନେଚର ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ରୌପ୍ୟଜୟନ୍ତୀ ଅବସରରେ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ଏଥିରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉତ୍ସବର ଦ୍ୱିତୀୟ ଅଧିବେଶନରେ ମଡେଲମାନଙ୍କ ଦ୍ୱାରା ର୍ୟାମ୍ପ ସୋ’ ଏବଂ କଣ୍ଟଶିଳ୍ପୀ ଶୈଳଭାମା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଦୀପ କୁମାର ନାୟକ, ଅଦିତ କୁମାର ଦେ, ସଞ୍ଜୀବ ଜେନା, ମିଲନ କୁମାର ଦାସ, ଭାସ୍କର ଚନ୍ଦ୍ର ମହାପାତ୍ର, ସମର କରଣ, ଶମ୍ଭୁନାଥ ସାହୁ, ପ୍ରମୋଦ ସିଂହ, ହରିଶ ଚନ୍ଦ୍ର ବେହେରା, ସଂଜୟ ସେନାପତି, ସୁଶାନ୍ତ କମାର ଜେନା, ଲକ୍ଷ୍ମୀ ପ୍ରସାଦ ପାଢ଼ୀ, ସୁଶାନ୍ତ ଲେଙ୍କା ପ୍ରମୁଖ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।