ବାଲେଶ୍ୱର ଲୋକସଭା ନିର୍ବାଚନର ପ୍ରାର୍ଥୀମାନଙ୍କୁନେଇ ଖୋଲାମଞ୍ଚ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁୃଜ) : ଚଳିତ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ଆହ୍ୱାନ କରି ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ଜିଲ୍ଲାର ପ୍ରମୁଖ ଜନଦାବି ଉପରେ ଏକ ଖୋଲାମଞ୍ଚ ପାଇଁ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ଗ୍ରହଣ କରିଛି । ଗତ ବୁଧବାର ଦିନ କମିଟିର ଜିଲ୍ଲା ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଜନସାଧାରଣଙ୍କୁ ଅତ୍ୟାଧୁନିକ, ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏବଂ ଉତ୍ତର ଓଡ଼ିଶାର ଯୋଗାଯୋଗ ଓ ବିକାଶର ପ୍ରାଣକେନ୍ଦ୍ର ବାଲେଶ୍ୱର ରେଳଷ୍ଟେସନର ଆଧୁନିକୀକରଣ ସହ ବାଲେଶ୍ୱରରେ ରେଳଡିଭିଜନ୍ ପ୍ରତିଷ୍ଠା ଦିଗରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଓ ତାଙ୍କ ରାଜନୈତିକ ଦଳର ପ୍ରତିବଦ୍ଧତା ସମ୍ପର୍କରେ ପ୍ରାର୍ଥୀ ସମବେତ ଜନତାଙ୍କ ସମ୍ମୁଖରେ ମତପ୍ରଦାନ କରିବେ । ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଦଳମତ ନିର୍ବିଶେଷରେ କ୍ରିୟାନୁଷ୍ଠାନ କମିଟି ସମସ୍ତଙ୍କର ସହଯୋଗ କାମନା କରିଛି ବୋଲି କମିଟିର ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଜଣାଇଛନ୍ତି ।


