ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଦ୍ୱନ୍ଦରେ ଗ୍ରାମବାସୀ
ହାଟଡ଼ିହି:କରୋନା ଭୁତାଣୁ ପାଇଁ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳି ଯାଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି । ଏପରିକି ସ୍କୁଲ, କଲେଜ ବନ୍ଦ ସହିତ କେନ୍ଦୁୁଝର ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିବାରୁ ଛକ ବଜାର ଗୁଡିକରେ ଜନ ଗହଳି ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ କେତେକ ସ୍ଥାନରେ ଜନଗହଳି ଦେଖିବାକୁ ମିଳୁଛି । ବଡବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବେପାର ବଣିଜ ବାଧାପ୍ରାପ୍ତ ହୋଇଥିବାବେଳେ ଛକ ବଜାର ମାନଙ୍କରେ ଆଉ ଭିଡ ପରିଲଖିତ ହେଉ ନାହିଁ । ସେହିପରି ବାହାର ରାଜ୍ୟରେ ରହି କାମ କରୁଥିବା ଲୋକମାନେ ଏବେ କରୋନା ଭୟରେ ଘରକୁ ପଳାଇ ଆସୁଥିବାରୁ ସେମାନେ କେତେଦୁର ସୁସ୍ଥ ଅଛନ୍ତି ଓ ସେମାନେ ପରିବାର ସହିତ ରହୁଥିବାରୁ ଏହାକୁ ନେଇ ଗ୍ରାମବାସୀମାନେ ଦ୍ୱନ୍ଦରେ ପଡିଛନ୍ତି । ଏବେ ମହାରାଷ୍ଟ୍ର, ବାଙ୍ଗାଲୋର, ଅହମଦାବାଦ, ହାଇଦ୍ରାବାଦ ପ୍ରଭୃତି ସ୍ଥାନରୁ ଶହଶହ ଯୁବକ ଘରକୁ ପଳାଇ ଆସୁଥିବାରୁ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ବା ପରିବାର ଭିତରେ ଅଲଗା ରହିବାକୁ ପରାମର୍ଶ ଦିଆଯାଉଥିଲେବି କେତେକ କ୍ଷେତ୍ରରେ କିଛି ଲୋକ ତାହାକୁ କର୍ଣ୍ଣପାତ କରୁନଥିବାରୁ ଗ୍ରାମ ମାନଙ୍କରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ କାଲି ବଡରମ୍ପାସ, ଛେନାପଦି, ପନ୍ଦାଡୋ ପ୍ରଭୃତି ଗ୍ରାମରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ପଞ୍ଚାୟତ ମାନଙ୍କ ପକ୍ଷରୁ ମଧ୍ୟ ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏପରିକି ୧୦୪କୁ କଲ କଲେ ତାହା ଲାଗୁ ନଥିବାରୁ କାହାକୁ ଏବାବଦରେ ଜଣାଇବେ ତାହାକୁ ନେଇ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରତି ପଞ୍ଚାୟତରେ ଏଥିପାଇଁ ସ୍ୱତନ୍ତ୍ର ସଚେତନତା କରାଯାଇ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧ ଚଳିବାପାଇଁ ସଚେତନ କରାଇବାକୁ ଦାବି ହେଉଛି ।