ଲକ୍ ଡାଉନ୍ ରେ କାର୍ଯ୍ୟନଥାଇ ବୁଲୁଥିବା ତିନୋଟି ଥାନା ପକ୍ଷରୁ ୫୪ଟି ବାଇକ ଓ ୧କାର ଧରାଯାଇଛି
ଛତ୍ରପୁର : କରୋନା ଭାଇରସ୍ ବା କୋଭିଡ-୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ରବିବାର ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ପାଳନ କରିବା ପାଇଁ ଗଂଜାମ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ବ୍ୟାପକ ସଚେତନତା କରିବା ସହ ଲୋକମାନେ କିପରି ଘରୁ ବାହାରକୁ ନବାହାରିବା ନିମନ୍ତେ କଟକଣା ଜାରି କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ଆସିବା ନିମନ୍ତେ କୁହାଯାଇଛି । ଏନେଇ ଜିଲ୍ଲାରେ ସକାଳ ୭ଟାରୁ ଦିନ ୫ଟା ପର୍ଯ୍ୟନ୍ତ ସଉଦାଦୋକାନ, ପନିପରିବା, ଅଣ୍ଡା, ମାଛ ଏବଂ ଫଳ ଦୋକାନ ଖୋଲିବାକୁ କୁହାଯାଇଛି । ଔଷଧ ଦୋକାନ ନୀୟମିତ ଖୋଲିବାକୁ କୁହାଯାଇଛି । ଏହାସହ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହିଅବସରେ ଲୋକମାନେ କିଛି କାମ ନଥାଇ ଖାଲିରେ ବାଇକ୍ ଯୋଗେ ବାହାରକୁ ବୁଲୁଥିବା ନେଇ ଛତ୍ରପୁର ପୁଲିସ ଥାନା ପକ୍ଷରୁ ୧୮ଟି ବାଇକ୍ ଓ ଗୋଟିଏ କାର କୁ ଧରି ଥାନା ପରିସରରେ ରଖାଯାଇଛି । ସେହିପରି ଚମାଖଣ୍ଡି ପୁଲିସ ପକ୍ଷରୁ ୩୦ଟି ବାଇକ୍ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ୫ଟି ବାଇକ୍ କୁ ମଧ୍ୟ ଧରାଯାଇ ଥାନା ପରିସରରେ ରଖାଯାଇଛି । କରୋନା ମୁକାବିଲା ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏମାନେ କିଛି କାର୍ଯ୍ୟ ନଥାଇ ବୁଲୁଥିବା ହେତୁ ଧରାଯାଇଛ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।


