ବିକଶିତ ହେଉଛି କରୋନା ପ୍ରତିରୋଧ କ୍ଷମତା
ଲଣ୍ଡନ: ଇଂଲଣ୍ଡର ଡେପୁଟି ଚିଫ ମେଡିକାଲ ଅଫିସର ଡକ୍ଟର ଜେନି ହ୍ୟାରିସ କହିଛନ୍ତି ଯେ ବ୍ରିଟେନରେ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଯେଉଁମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କ ଦେହରେ କରୋନାକୁ ପ୍ରତିରୋଧ କରିବାର କ୍ଷମତା ବିକଶିତ ହୋଇଯାଉଛି । ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ଏଭଳି ଆଣ୍ଟିବଡ଼ି ପ୍ରସ୍ତୁତ କରୁଛି ଯାହାକି କରୋନା ଭାଇରସକୁ ରୋକିପାରୁଛି । ଏହା ଏକ ଶୁଭ ସଂକେତ । ଏଥିରୁ ଜଣାପଡ଼ୁଛି କି କରୋନା ଭାଇରସକୁ ରୋକିବା ପାଇଁ ଟିକା ବିକଶିତ କରାଯାଇପାରିବ । ତେବେ ରୋଗୀଙ୍କ ଦେହରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି କରୋନା ଭାଇରସକୁ ଗୋଟିଏ ଋତୁ ପାଇଁ ରୋକିପାରିବ କିମ୍ବା ଦୁଇ ତିନି ବର୍ଷ ରୋକିବ, ତାହା ଆମେ ଏବେ କହିପାରିବୁ ନାହିଁ । ସେହିପରି ସେ କହିଛନ୍ତି ଯେ ଛୋଟ ପିଲାମାନେ କରୋନା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା କମ୍ ଥାଏ ବୋଲି ସେମାନେ ଅଧ୍ୟୟନରୁ ଜାଣିପାରିଛନ୍ତି ।


