ଲକ୍ଡାଉନ୍ ବେଳେ ଚୋରାଚାଲାଣ ପାଇଁ ପ୍ରସ୍ତୁତ ଥିବା ବନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ
ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲକ୍ଡାଉନ୍କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଚୋରାଚାଲାଣ ପାଇଁ ପ୍ରସ୍ତୁତ ଥିବା ଲକ୍ଷାଧିକ ଟଙ୍କାର ଶାଳଗଣ୍ଡିକୁ ବନ ବିଭାଗ ଦ୍ୱାରା ଜବତ କରାଯାଇଥିବା ଜଣାଯାଇଛି । ପାରଳାଖେମୁଣ୍ଡି ଡିଏଫଓ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଓ ଗୌରୀ ପ୍ରସାଦ ରଥଙ୍କ ତତ୍ୱାବଧାନରେ ସମଗ୍ର ବନ ଉପଖଣ୍ଡରେ ବନ ସୁରକ୍ଷା ଓ ଚୋରା କାଠ ଚାଲାଣ ପାଇଁ ବାରମ୍ବାର ପେଟ୍ରୋଲିଂ ଓ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ବିଭିନ୍ନ ଚଢାଉ ଚାଲିଥିବା ବେଳେ ଗତ ୧ ତାରିଖ ଦିନ ମୋହନା ରେଞ୍ଜର ବୁଲିଡାପଙ୍କା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚୋରାଚାଲାଣ ପାଇଁ ଗଛ କଟା ଯାଉଥିବା ସୁଚନା ମିଳିଥିଲା । ମୋହନା ରେଞ୍ଜର କଳ୍ପନା ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ସୁଶାନ୍ତ,ଗାର୍ଡ ସନ୍ତୋଷ ବିଶୋୟୀରତ୍ନ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅତି ପୁରାତନ ଶାଳଗଛକୁ କୌଣସି ଚୋରାକାଠ ବ୍ୟବସାୟୀ କାଟି ବନ କର୍ମଚାରୀ ଆସୁଥିବା ଦେଖି ସେଠାରୁ ଫେରାର ହୋଇଥିବା ଜଣାଯାଇଥିଲା । ଘଟଣା ସ୍ଥଳରୁ ଚୋରାକାଠ ବ୍ୟବସାୟୀଙ୍କ ସାଇକେଲ ଓ ଗଛକଟା ସରଞ୍ଜାମକୁ ଗତ ୧ ତାରିଖ ଦିନ ଜବତ କରି କଟା ଯାଇଥିବା ୩ଗୋଟି କାଠ ଗଣ୍ଡି ଲୁଚାଯାଇଥିବା ଅଞ୍ଚଳରେ ବନ କର୍ମଚାରୀଙ୍କୁ ସଜାଗ ରଖାଯାଇଥିଲା । ପରେ ଗତକାଲି ଏହି ୩ଗୋଟି କାଠ ଗଣ୍ଡକୁ ଜବତ କରି ଏକ ଟ୍ରାକ୍ଟର ଦ୍ୱାରା ମୋହନା ରେଞ୍ଜରଙ୍କ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ଏସିଏଫଓ ଗୌରୀ ପ୍ରସାଦ ରଥ ଓ ମୋହନା ରେଞ୍ଜର କଳ୍ପନା ନାୟକ କହିଛନ୍ତି,ଏହି ଘଟଣା ନେଇ ତଦନ୍ତ ଜାରି ରହିଛି । ଅତି ତୁରନ୍ତ ଏହି ଚୋରାକାଠ ଚାଲାଣକାରୀଙ୍କୁ ଗିରଫ କରାଯିବ ।


